ବହୁଚର୍ଚ୍ଚିତ ବାଲେଶ୍ୱର ଏସିଡ ମାଡ ଘଟଣାରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଆସିଲା ରାୟ। ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ପେଶାଲ କୋର୍ଟ ଜଜ୍ କୋର୍ଟ। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ଗତ ୨୦୨୩ ମସିହା ଫେବୃଆରୀ ୨୦ ତାରିଖରେ ତାର ଦ୍ଵିତୀୟ ସ୍ତ୍ରୀ ବନିତା ସିଂ ଙ୍କୁ ଏସିଡ ଆକ୍ରମଣ କରି ଫେରାର ହୋଇଯାଇଥିଲା।
ସେତେବେଳେ ଏହି ଘଟଣାରେ ବାଲେଶ୍ଵର ପୁଲିସ ଏସିଡ ଆକ୍ରମଣ ଘଟଣାର ସଂପୃକ୍ତ ୭ ଜଣକୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବାଲେଶ୍ଵର ପୋଲିସ ୫ ଟି ଟିମ୍ ଗଠନ କରିଥିଲା। କଲିକତା, ମହାରାଷ୍ଟ୍ର ଓ ତାମିଲନାଡୁ ପୋଲିସ ସହାୟତାରେ ରାଜ୍ୟ ବାହାରୁ ଦୋଷୀ ଚନ୍ଦନକୁ ଗିରଫ କରିଥିଲା ବାଲେଶ୍ଵର ପୋଲିସର ସ୍ଵତନ୍ତ୍ର ଟିମ୍। ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା।
ଏସିଡ ଆକ୍ରମଣ ପରେ ଚନ୍ଦନ ନିଜ ମୋବାଇଲ ଭାଙ୍ଗି ଫେରାର ହୋଇଯାଇଥିଲା। ଚନ୍ଦନ ଅପରାଧ ଘଟାଇଲା ପରେ କିଛିଦିନ କଲିକତାରେ ଆତ୍ମଗୋପନ କରିବା ପରେ ଫେରାର ହୋଇଯାଇଥିଲା। ଏହି ମାମଲାରେ ସହଦେବ ଖୁଣ୍ଟା ଥାନାରେ ୫୬/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିଲା। କଟକ ଏସସିବିରେ ୬ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲା ଏସିଡ ପୀଡ଼ିତା ବନିତା। ଏହି ଘଟଣାରେ ପୂର୍ବରୁ ମଧ୍ୟ ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ପୁଲିସ ଚନ୍ଦନ ରଣାର ପ୍ରଥମ ସ୍ତ୍ରୀ ଓ ଜଣେ ସହଯୋଗୀକୁ ଗିରଫ କରିଥିଲା।
ଅଧିକ ପଢନ୍ତୁ: ରାଜଧାନୀ ଭୁବନେଶ୍ୱରରେ ଅଗ୍ନିକାଣ୍ଡ; ଆପାର୍ଟମେଣ୍ଟରେ ନିଆଁ ଲାଗି ୩ ଆହତ