ନୂଆଦିଲ୍ଲୀ: ଭାରତର ବାୟୁ ପ୍ରତିରକ୍ଷା ଆହୁରି ମଜଭୁତ ହେବ । ଶତ୍ରୁ ପକ୍ଷରୁ କୌଣସି ଆକ୍ରମଣକୁ ରୋକିବାରେ ଅସ୍ତ୍ରର ଅଭାବ ରହିବ ନାହିଁ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ରୁଷିଆଠାରୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବା ଏୟାର୍ ଡିଫେନସ୍ ସିଷ୍ଟମ୍ ଏସ୍-୪୦୦ ପାଇଁ ଆଉ ୨୮୮ଟି କ୍ଷେପଣାସ୍ତ୍ର କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ୧୦ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଏହି ମିସାଇଲ୍ ଅପରେସନ୍ ସିନ୍ଦୂର ବେଳେ ସୁରକ୍ଷା କବଚ ହୋଇଥିଲା । ପାକିସ୍ତାନର ସମସ୍ତ ମିସାଇଲ୍, ଡ୍ରୋନ୍ ଏବଂ ଲଢ଼ୁଆ ବିମାନକୁ ଆକାଶରେ ହିଁ ଧ୍ୱଂସ କରିଥିଲା ।
ଡିଏସି ଆକ୍ସେପଟାନ୍ସ ଅଫ୍ ନେସେସିଟି (ଏଓଏନ୍) ଦେଇଛି । ଯାହା ପ୍ରତିରକ୍ଷା କ୍ଷେତ୍ରରେ କିଣାଯାଉଥିବା ସାମଗ୍ରୀ ପାଇଁ ପ୍ରଥମ ମଞ୍ଜୁରୀ ଅଟେ । ମୋଟ ୨୮୮ଟି ମିସାଇଲ୍ ମଧ୍ୟରେ ୧୨୦ଟି ସର୍ଟ ରେଞ୍ଜ୍ ମିସାଇଲ୍ ଅବଂ ୧୬୮ଟି ଦୂରଗାମୀ କ୍ଷେପଣାସ୍ତ୍ର ସାମିଲ ରହିଛି । ଏଫଟିପି ମୋଡରେ ମିସାଇଲ୍ କିଣାଯିବ । ଅର୍ଥାତ ରୁଷ ଏହାକୁ କମ୍ ସମୟ ମଧ୍ୟରେ ଭାରତକୁ ପ୍ରଦାନ କରିବ । ଏହା ପୂର୍ବରୁ ୫ଟି ଏସ୍-୪୦୦ ସ୍କ୍ୱାଡ୍ରନ୍ ପାଇଁ ଚୁକ୍ତି ହୋଇସାରିଛି । ଦୁଇଟି ସ୍କ୍ୱାଡ୍ରନ୍ ଚଳିତ ବର୍ଷ ଜୁନରୁ ନଭେମ୍ବର ମଧ୍ୟରେ ଭାରତକୁ ଆସିବ ।
ଏସ୍-୪୦୦ ରୁଷର ସବୁଠାରୁ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅଟେ । ଏହା ୪୦ରୁ ୪୦୦ କିଲୋମିଟର ଦୂରତା ମଧ୍ୟରେ ଶତ୍ରୁପକ୍ଷର ମିସାଇଲ୍, ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖିଛି । ସେଥିପାଇଁ ଏହାକୁ ସୁରକ୍ଷା କବଚ ବୋଲି କୁହାଯାଏ ।