ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସେବା ତୀର୍ଥ କମ୍ପେ୍ଲକ୍ସର ଉଦଘାଟନ କରିଛନ୍ତି । ଏହି ନୂଆ ଅଟ୍ଟାଳିକାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ସମସ୍ତେ ଏକ ନୂଆ ଇତିହାସ ହେବାକୁ ଦେଖୁଛନ୍ତି । ଆଜି ବିକ୍ରମ ସାୱନ୍ତ ୨୦୮୨, ଫାଲଗୁନ କୃଷ୍ଣ ପକ୍ଷ, ବିଜୟା ଏକାଦଶୀର ଗୁରୁତ୍ୱପୂର୍ଣ୍ଣ ଶୁଭ ଦିନ ।
ମୋଦୀ କହିଛନ୍ତି, ଫେବୃଆରୀ ୧୩ ତାରିଖ ଆଜି ଦିନ ଭାରତର ବିକାଶ ଯାତ୍ରାର ଏକ ନୂଆ ଆରମ୍ଭର ସାକ୍ଷୀ ହୋଇଛି । ଆମର ଶାସ୍ତ୍ରୀରେ ବିଜୟା ଏକାଦଶୀର ବହୁତ ମହତ୍ୱ ରହିଛି । ଏହି ଦିନ ଯେଉଁ ସଂକଳ୍ପ ନେଇ ଆଗକୁ ବଢନ୍ତି, ସେଥିରେ ବିଜୟ ନିଶ୍ଚୟ ପ୍ରାପ୍ତ ହୋଇଥାଏ । ଆଜି ଆମେ ସମସ୍ତେ ସେବା ତୀର୍ଥରେ ବିକଶିତ ଭାରତର ଲକ୍ଷ୍ୟ ସହିତ ପ୍ରବେଶ କରୁଛୁ ।
ନରେନ୍ଦ୍ର ମୋଦୀ କହିଛନ୍ତି, ସ୍ୱାଧୀନତା ପରେ ସାଉଥ ବ୍ଲକ, ନର୍ଥ ବ୍ଲକ ପରି କୋଠା ଦେଶ ପାଇଁ ଅନେକ ନିର୍ଣ୍ଣୟ, ନୀତି ନିର୍ଦ୍ଧାରଣ କରିଛି। ମାତ୍ର ଏହା ସତ୍ୟ ଯେ, ଏହି କୋଠା ବ୍ରିଟିଶ ସାମ୍ରାଜ୍ୟର ପ୍ରତୀକ ଭାବେ ନିର୍ମାଣ ହୋଇଥିଲା । ଏହି କୋଠାକୁ ନିର୍ମାଣ କରାଯିବାର ଉଦ୍ଦେଶ୍ୟ ଭାରତକୁ ଗୋଲାମୀ ଶୃଙ୍ଖଳରେ ବାନ୍ଧି ରଖିବାର ଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସାଉଥ ବ୍ଲକ ଓ ନର୍ଥ ବ୍ଲକ ପରି କୋଠା ଯେଉଁଠି ବ୍ରିଟିଶ ଶାସନର ଚିନ୍ତାଧାରାକୁ ଲାଗୁ କରିବା ପାଇଁ ତିଆରି ହୋଇଥିଲା । ଆଜି ମୁଁ ଗର୍ବର ସହିତ କହୁଛି ସେବା ତୀର୍ଥ ଓ କର୍ତ୍ତବ୍ୟ ଭବନ ପରି ନୂଆ ପରିସର ଭାରତର ଜନତାଙ୍କ ଆଶା ଆକାଂକ୍ଷା ପୂରା କରିବା ପାଇଁ ନିର୍ମାଣ କରାଯାଇଛି । ଏଠାରୁ ଯେଉଁ ନିଷ୍ପତ୍ତି ହେବ ତାହା କୌଣସି ମହାରାଜଙ୍କ ଚିନ୍ତାଧାରା ପରି ନୁହେଁ। ୧୪୦ କୋଟି ଦେଶବାସୀଙ୍କ ଚିନ୍ତାଧାରାକୁ ଆଗକୁ ବଢାଇବାର ଆଧାର ପାଲଟିବ ।
ନରେନ୍ଦ୍ର ମୋଦୀ କହିଛନ୍ତି ୨୦୨୪ରେ ଦେଶବାସୀ ସ୍ଥିର କରିଥିଲେ ଯେ, ଗୁଲାମୀ ମାନସିକତା ଏବେ ଆଉ ଚାଲିବ ନାହିଁ । ଆମେ ଏହି ଗୁଲାମୀର ଏହି ମାନସିକତାକୁ ବଦଳାଇବାର ଅଭିଯାନ ଆରମ୍ଭ କରିଛୁ । ଆମେ ବୀର ସହିଦ ଯୋଦ୍ଧାଙ୍କ ନାମରେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କଲୁ । ଆମେ ପୋଲିସର ବୀରତାକୁ ସମ୍ମାନ ଦେବା ପାଇଁ ପୋଲିସ ସ୍ମାରକ ତିଆରି କଲୁ । ରେସ କୋର୍ସ ରୋଡର ନାଁ ବଦଳାଇ ଲୋକ କଲ୍ୟାଣ ମାର୍ଗ ରଖିଲୁ । ଏହା କେବଳ ନାଁ ବଦଳାଇବାର ନ ଥିଲା, ଏହା କ୍ଷମତାର ଉଦ୍ଦେଶ୍ୟକୁ ଭାବନାରେ ବଦଳାଇବାର ପ୍ରୟାସ ଥିଲା ।
Also read: ତାରିକ ରେହମାନଙ୍କୁ ଫୋନ କଲେ ପିଏମ ମୋଦୀ, ବାଂଲାଦେଶ ନିର୍ବାଚନରେ ବିଏନପିର ବିଜୟ ନେଇ ଜଣାଇଲେ ଶୁଭେଚ୍ଛା