ପାରାଦୀପରେ ହେବ ବ୍ଲୁ ଫ୍ଲାଗ ବିଚ, ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିବ ନୂତନ ଅଧ୍ୟାୟ,ଏହା ସହିତ ପାରାଦୀପ କୁ ବିଭିନ୍ନ କ୍ଷେତ୍ରରେ କିପରି ବିକାଶ କରାଯାଇପାରିବ ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ସମସ୍ତ ପ୍ରୟାସ। ଦିନିକିଆ ପାରାଦୀପ ଗସ୍ତରେ ଆସିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
ପାରାଦୀପ ଲାଇଟହାଉସ ବେଳାଭୂମି ରେ ଜଗତସିଂହପୁର ଜିଲ୍ଲାପାଳ, ଏସପି ଓ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିବା ସହିତ ବ୍ଲୁ ଫ୍ଲାଗ ବିଚ ନିର୍ମାଣର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ପ୍ରକୃତିର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳକୁ ବେଳାଭୂମି କୁ ବ୍ଲୁ ଫ୍ଲାଗ ବିଚ ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତା ସେପ୍ଟେମ୍ବର ଶେଷସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ବିଭିନ୍ନ କୋଣରୁ ପାରାଦୀପର ମୁନିସିପାଲିଟି ହେଉ କିମ୍ବା ବନ୍ଦରନଗରୀର ବିକାଶ ପାଇଁ ବନ୍ଦର ଅଧ୍ୟକ୍ଷଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ।
ପାରାଦୀପରେ ବ୍ଲୁ ଫ୍ଲାଗ ବିଚ ନିର୍ମାଣ ହେବାପରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନା କରିବା ସହିତ ଗୋଆ ବିଚ ଭଳି ପାରାଦୀପ ବେଳାଭୂମିକୁ ଦେଶ ବିଦେଶ ର ପର୍ଯ୍ୟଟକ ମାନଙ୍କ ଆଗମନ ହେବ। ଯାହା ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ଲୋକେ ସ୍ୱାବଲମ୍ବୀ ହେବା ସହିତ ଓଡିଶା ପର୍ଯ୍ୟଟନ ଦେଶ ବିଦେଶରେ ସୁନାମ ଅର୍ଜନ କରିବ। ରାଜ୍ୟ ସରକାର ଯେଉଁଭଳି ପୁରୀ, ପାରାଦୀପ ଓ ଭୁବନେଶ୍ୱର କୁ ଏକୋନୋମିକାଲ କରିଡ଼ର ନିର୍ମାଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଏହା ପାରାଦୀପର ବିକାଶରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।
ଅଧିକ ପଢନ୍ତୁ: ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ; ଆସିବ ନୂଆ କ୍ୟୁଆର କୋର୍ଡ ପଟ୍ଟା