ପୁରୀ: ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଗୋଟିଏ ନିରୀହ ନିଷ୍ପାପ ଶିଶୁର ପ୍ରାଣ ଚାଲି ଯାଇଛି । ମୁକୁଳା ବୋରୱେଲରେ ପଡ଼ି ଗୋଟିଏ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ପୁରୀ ସହର ରାୟବାହାଦୁର ଲେନ୍ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ୍ୟ ଶିଶୁ ହେଲେ ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଝିଅ ।
ଖେଳୁଥିବା ବେଳେ ବୋରଓ୍ବେଲ୍ରେ ପଡ଼ି ଦେଢ଼ ବର୍ଷ ଶିଶୁ କନ୍ୟାର ମୃତ୍ୟୁ । ପୁରୀ ହସ୍ପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଶିଶୁକନ୍ୟା ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଶିଶୁକନ୍ୟା । ଚିକିତ୍ସା ପାଇଁ ଶିଶୁକନ୍ୟାକୁ ତୁରନ୍ତ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁ କନ୍ୟାର ମୃତ୍ୟୁକୁ ନେଇ ମେଡିକାଲରେ ଏବଂ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଅଜୟ ନାୟକଙ୍କ ସ୍ତ୍ରୀ ଏବଂ ଝିଅ ରାୟବାହାଦୁର ଲେନ୍ ରେ ଥିବା ମାମୁଁ ଘରକୁ ବୁଲିବାକୁ ଆସିଥିଲେ । ଆଜି ମଧ୍ୟାହ୍ନ ସମୟରେ ଶିଶୁ କନ୍ୟାଟି ଖେଳୁଥିବା ବେଳେ ମେଡିକାଲରେ କାମ ପାଇଁ ଖୋଳା ଯାଇଥିବା ଏକ ମୁକୁଳା ବୋର୍ ଓ୍ୱେଲ ଭିତରେ ପଡ଼ିଯାଇଥିଲା । ସେଠାରେ ଉପସ୍ଥିତି ଥିବା ଲୋକମାନେ ଶିଶୁ କନ୍ୟାକୁ ଉଦ୍ଧାର କରି ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ ।
ଯାହାକୁ ନେଇ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମେଡ଼ିକାଲରେ ନିର୍ମାଣ କାମ କରୁଥିବା ଶ୍ରମିକଙ୍କୁ ବାରମ୍ବାର ବୋରୱେଲକୁ ବନ୍ଦ କରିବାକୁ ପୂର୍ବରୁ କୁହାଯାଇଥିଲା । କିନ୍ତୁ କେହି ସ୍ଥାନୀୟ ଲୋକଙ୍କ କଥାକୁ ଖାତିର ନ କରି ବୋରୱେଲକୁ ଖୋଲାମେଲା ଛାଡ଼ି ଦେଇଥିଲେ । ଯେଉଁଥିପାଇଁ ଆଜି ଗୋଟିଏ ନିରୀହ ଶିଶୁର ପ୍ରାଣ ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । କୁମ୍ଭାରପଡ଼ା ଥାନା ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।