ନବରଙ୍ଗପୁର: ନବରଙ୍ଗପୁର ରାଜ୍ୟ ରାଜଧାନୀ ଠାରୁ ବହୁ ଦୂରରେ ଥିଲେ ମଧ୍ୟ ବିକାଶ କେବେ ଜିଲ୍ଲା ପାଇଁ ଦୂର ହେବ ନାହିଁ । ନବରଙ୍ଗପୁରକୁ ଆଜି ବଡ଼ ଉପହାର ଦେଇଛନ୍ତି ମୋହନ ସରକାର । ଜିଲ୍ଲାବାସୀଙ୍କ ବହୁ ଆକାଂକ୍ଷିତ ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନବରଙ୍ଗପୁରର ପାତାଲଗୁଡାଠାରେ ୫୦ ଏକରରୁ ଉର୍ଦ୍ଧ୍ୱ ଜାଗା ଉପରେ ପ୍ରତିଷ୍ଠା ହେବାକୁ ଥିବା ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ଏମ୍.ବି.ବି.ଏସ୍ ସିଟ ଓ ୪୨୦ଟି ଶଯ୍ୟା ରହିବ। ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପରେ ଜିଲ୍ଲାବାସୀ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇଁ ଆଉ ଜିଲ୍ଲା ବାହରକୁ ଯିବେ ନାହିଁ, ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଜିଲ୍ଲା ଭିତରେ ହିଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ଆସିବାର ମାତ୍ର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି । ଏଥି ସହିତ ଆଉ ୪ଟି ମେଡିକାଲ କଲେଜ ଆମର ପ୍ରତିଶ୍ରୁତି ଥିଲା। ଆଜି ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶୁଭ ଦିଆଗଲା। ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ । ରାଜ୍ୟବାସୀଙ୍କୁ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ସେବା ଓ ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ଏହା ହେଉଛି ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ପାଇଁ ୪୪୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୭୭ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୬୮ କୋଟି ଟଙ୍କା ମୂଲ୍ୟର ୧୧୨ଟି ପ୍ରକଳ୍ପର ଉଦ୍ଘାଟନ ଓ ୩୭୮ କୋଟି ଟଙ୍କା ମୂଲ୍ୟର ୬୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ସଡକ, ସେତୁ, ହଷ୍ଟେଲ, ବନ ସୁରକ୍ଷା ସମିତି, ଅଙ୍ଗନବାଡି କେନ୍ଦ୍ର ଆଦି ଏହି ସବୁ ପ୍ରକଳ୍ପ ଗୁଡିକ ନବରଙ୍ଗପୁରର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ନବରଙ୍ଗପୁର ରାଜ୍ୟ ରାଜଧାନୀ ଠାରୁ ବହୁ ଦୂରରେ ଥିଲେ ମଧ୍ୟ ବିକାଶ କେବେ ଜିଲ୍ଲା ପାଇଁ ଦୂର ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ତିନି ଦଶନ୍ଧି ତଳେ ଓଡିଶାରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଆଜି ଡବଲ ଇଞ୍ଜିନ ସରକାରରେ ମାତ୍ର ୧୮ ମାସ ମଧ୍ୟରେ ସବୁ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ମେଡିକାଲ କଲେଜ ଖୋଲିବା ପାଇଁ ଆମେ ପଦକ୍ଷେପ ନେଇଛୁ। ୨୦୨୪-୨୫ ରେ ରାଜ୍ୟରେ ୯ଟି ସରକାରୀ ମେଡିକାଲ କଲେଜ ଖୋଲିବା ପାଇଁ ସ୍ଥିରୀକୃତ ହୋଇଛି। ଆମର ଲକ୍ଷ୍ୟ ରାଜ୍ୟବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇଦେବା ସହ ରାଜ୍ୟରୁ ଡାକ୍ତର ଅଭାବ ଦୂର କରିବା।
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଖୁବ୍ ଅଳ୍ପଦିନ ମଧ୍ୟରେ ନବରଙ୍ଗପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେଉଁ କାମ ଦୀର୍ଘ ବର୍ଷ ଧରି ହୋଇପାରୁ ନଥିଲା, ମାତ୍ର ୧୮ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାହା କରି ଦେଖାଇଦେଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କେବଳ ସ୍ୱାସ୍ଥ୍ୟସେବା ନୁହେଁ, ଶିକ୍ଷା, ଗମନାଗମନ ଓ କୃଷି ଆଦି ସବୁ କ୍ଷେତ୍ରରେ ବିକାଶ ହେଉଛି।
ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁଜ୍ଜିବୁଲ୍ଲା ଖାଁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଜିଲ୍ଲାବାସୀଙ୍କୁ କଥା ଦେଇ କଥା ରଖିଥିବାରୁ ଏବଂ ଜିଲ୍ଲାବାସୀଙ୍କ ବହୁଦିନର ଦାବୀ ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, କୋଟପାଡ ବିଧାୟକ ରୁପୁ ଭତ୍ରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍ ରାଜପୁତ, ନବରଙ୍ଗପୁର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ସମ୍ବଲପୁରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ଛତ୍ରପୁରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।