ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର କଲିକତା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ପୁନଃ ନିରୀକ୍ଷଣ(ଏସଆଇଆର)ରେ ୮୦ ଲକ୍ଷ ଆବେଦନ ଓ ଆପତ୍ତିର ସମାଧାନ ପାଇଁ ସିଭିଲ ଜଜଙ୍କୁ ନିଯୁକ୍ତି କରିବା ଏବଂ ପଡୋଶୀ ରାଜ୍ୟ ଓଡିଶା ଓ ଝାଡଖଣ୍ଡରୁ ନ୍ୟାୟିକ ଅଧିକାରୀଙ୍କୁ ଡକାଇବାକୁ ଅନୁମତି ଦେଇଛନ୍ତି । ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚୀ ଓ ଜଷ୍ଟିସ ବିପୁଲ ଏମ ପାଞ୍ଚୋଲିଙ୍କ ପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହା ପୂର୍ବରୁ କଲିକତା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ଏଆଇଆରର ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ୨୫୦ ଜିଲ୍ଲା ନ୍ୟାୟାଧୀଶଙ୍କୁ ଦାବି ଆପତ୍ତିର ସମାଧାନ ପାଇଁ ପାଖାପାଖି ୮୦ ଦିନର ସମୟ ଲାଗିବ । ଗମ୍ଭୀର ସ୍ଥିତି ଏବଂ ସମୟ ଅଭାବକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସିଭିଲ ଜଜଙ୍କ ନିଯୁକ୍ତି ପାଇଁ ଅନୁମତି ଦେଇଛନ୍ତି । ସିଜେଆଇ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଓଡିଶା ଓ ଝାଡଖଣ୍ଡର ନିଜର ସମକକ୍ଷଙ୍କୁ ଅନୁରୋଧ କରିବା ଏବଂ ସ୍ଥିତିର ମୁକାବିଲା ପାଇଁ ସହାୟତା ଲୋଡିବାକୁ କହିଛନ୍ତି ।
ପୀଠ ନିର୍ବାଚନ ଆୟୋଗଙ୍କୁ ଝାଡଖଣ୍ଡ ଓ ଓଡିଶାର ନ୍ୟାୟିକ ଅଧିକାରୀଙ୍କ ମୁତୟନ ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ଫେବୃଆରୀ ୨୮ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ସତ୍ୟାପନ ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ ନିର୍ବାଚନ ଆୟୋଗ ଅନ୍ତରୀଣ ତାଲିକା ଜାରି କରି ପାରନ୍ତି । ଅନ୍ୟପଟେ ରାଜ୍ୟରେ ଏସଆଇରକୁ ତୀବ୍ର ବିରୋଧ କରି ଆସିଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ।
Also read: ଯଦି ଏମିତି ଚାହୁଁଛ, ପ୍ରଥମେ ହିନ୍ଦୁ ଧର୍ମ ତ୍ୟାଗ କର... ବ୍ୟକ୍ତିଙ୍କୁ ହାଇକୋର୍ଟ ଦେଲେ କଡା ଉପଦେଶ