ନୂଆଦିଲ୍ଲୀ: ଆଣ୍ଡମାନରେ ମଙ୍ଗଳବାର ସକାଳେ ଏକ ପବନ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣ ଭରିବା ମାତ୍ରେ ହେଲିକପ୍ଟରଟି ସମୁଦ୍ରରେ ଖସି ପଡିଛି । ହେଲିକପ୍ଟରରେ ଅତି କମରେ ସାତ ଜଣେ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ସମୁଦ୍ରରେ ଏହାର କ୍ରାଶ ଲ୍ୟାଣ୍ଡିଂ କରିବାକୁ ପଡିଛି । ଏହି ଘଟଣା ଆଣ୍ଡମାନ ସାଗରରେ ହୋଇଛି । ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବା ପରେ ନିଜ ବୁଦ୍ଧି ବଳରେ ସମୁଦ୍ରରେ ହେଲିକପ୍ଟରର କ୍ରାଶ ଲ୍ୟାଣ୍ଡିଂ କରାଇଛନ୍ତି । ଫଳରେ ଦୁଇ କ୍ରୁ ମେମ୍ବର୍ସ ସମେତ ସାତ ଜଣଙ୍କ ଜୀବନ ବଞ୍ଚି ଯାଇଛି ।
ଘଟଣାର ସୂଚନା ମିଳିବା ମାତ୍ରେ ତୁରନ୍ତ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏହି ହେଲିକପ୍ଟର ପୋର୍ଟ ବ୍ଲେୟାରରୁ ମାୟାବନ୍ଦର ଯାତ୍ରା କରୁଥିଲା । ଉଡାଣ ଭରିବା ପରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ୍ ଜାଣି ପାରିଥିଲେ । ଏହି ସମୟରେ ସମୁଦ୍ରରେ କ୍ରାଶ ଲ୍ୟାଣ୍ଡିଂ କରିବାର ଭଲ ବିକଳ୍ପ ତାଙ୍କ ପାଖରେ ଥିଲା । ଆଉ ନିଜ ବୁଦ୍ଧିମତାର ପରିଚୟ ଦେଇ ପାଇଲଟ୍ ହେଲିକପ୍ଟରକୁ ସମୁଦ୍ରରେ ହିଁ କ୍ରାଶ ଲ୍ୟାଣ୍ଡିଂ କରାଇଥିଲେ ।
ପବନ ହଂସର ମୁଖପାତ୍ର କହିଛନ୍ତି, ଘଟଣା ସକାଳ ପ୍ରାୟ ୯ଟା ୩୦ରେ ଘଟିଛି । ହେଲିକପ୍ଟର ସର୍ଟ ଲ୍ୟାଣ୍ଡିଂର ଶିକାର ହୋଇଛି । ଏଥିରେ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି । କାହାରିକୁ ଗୁରୁତର ଆଘାତ ଲାଗିନାହିଁ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତକାଲି ଝାଡଖଣ୍ଡର ଚତରା ଜିଲ୍ଲାର ସିମରିୟା ଥାନାର ଖସିୟାତୁ କରମ ଟାଣ୍ଡ ଜଙ୍ଗଲରେ ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ମୋଟ୍ ସାତ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ୍, ଜଣେ ଡାକ୍ତର, ଜଣେ ନର୍ସଦ ଓ ଜଣେ ରୋଗୀଙ୍କ ସହ ତାଙ୍କର ଦୁଇ ଜଣ ସହଯୋଗୀ ଥିଲେ । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।
Also read: ଦିଲ୍ଲୀ ବିମାନ ବନ୍ଦରରେ ଟଳିଲା ବଡ ଦୁର୍ଘଟଣା, ୧୫୫ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନର କରାଗଲା ଏମରଜେନ୍ସି ଲ୍ୟାଣ୍ଡିଂ