ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ର ସୁପର-୮ର ଗ୍ରୁପ-୧କୁ କୁହାଯାଉଛି ଗ୍ରୁଫ ଅଫ ଡେଥ । ଏହି ଗ୍ରୁପରେ ଲିଗ୍ ପର୍ଯ୍ୟାୟରେ ସମସ୍ତ ଶୀର୍ଷ ଦଳ ରହିଛନ୍ତି । ହେଲେ ଏହି ଗ୍ରୁପରେ ଏବେ ମୁସ୍କିଲରେ ପଡି ଯାଇଛି ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର-୮ରେ ମୁକାବିଲାରେ ଶୋଚନୀୟ ପରାଜୟ ଭୋଗିବା ପରେ ଏବେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଆଶଙ୍କା ଦେଖା ଦେଇଛି । ଏବେ ଏମିତି ଏକ ସମୀକରଣ ସୃଷ୍ଟି ହୋଇଛି, ଯେଉଁଥିରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍ ଖେଳିବା ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇପାରେ । କାରଣ ଫେବୃଆରୀ ୨୬ରେ ଭାରତ ଓ ଜିମ୍ବାୱେ ମୁକାବିଲା ପୂର୍ବରୁ ଖେଳାଯିବ ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ । ଏହି ମ୍ୟାଚ୍ ଉପରେ ଏବେ ପ୍ରତିଟି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି ।
ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବଦଳାଇବ ସମୀକରଣ
ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ଭାରତକୁ ୭୬ ରନରେ ହରାଇଥିଲା । ଏହି ବଡ ପରାଜୟ ପରେ ଭାରତର ନେଟ୍ ରନ ରେଟ୍ ମାଇନଓ ୩.୮୦୦ ହୋଇ ଯାଇଛି । ଦକ୍ଷିଣ ଆଫ୍ରିକାର ନେଟ୍ ରନ ରେଟ୍ ଯୁକ୍ତ ୩.୮୦୦ ରହିଛି । ୱେଷ୍ଟଇଣ୍ଡିଜ ସୁପର-୮ରେ ନିଜର ପ୍ରଥମ ମ୍ୟାଚରେ ଜିମ୍ବାୱେକୁ ୧୦୭ ରନର ବଡ ବ୍ୟବଧାନରେ ପରାସ୍ତ କରିଛି । ଫଳରେ ଦଳର ନେଟ୍ ରନ ରେଟ୍ ଯୁକ୍ତ ୫.୩୫୦ ରହିଛି ।
ଏବେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ନିଜର ପରବର୍ତ୍ତୀ ମ୍ୟାଚ୍ ଜିତିବାକୁ ପଡିବ । ଦଳ ନିଜର ଦ୍ୱିତୀୟ ମ୍ୟାଚରେ ଜିମ୍ବାୱେକୁ ଭେଟିବ । ତେବେ ଏହା ପୂର୍ବରୁ ସେହି ଦିନ ଖେଳାଯିବ ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ ମ୍ୟାଚ୍ । ଏହି ମ୍ୟାଚର ଫଳାଫଳରୁ ସ୍ଥିତି ଆହୁରି ସ୍ପଷ୍ଟ ହୋଇଯିବ ଯେ, ଗ୍ରୁପ ୧ରୁ କେଉଁ ଦୁଇ ଦଳ ସେମିକୁ ଯିବେ ।
ଯଦି ୱେଷ୍ଟଇଣ୍ଡିଜ ଦକ୍ଷିଣ ଆଫ୍ରିକାକୁ ହରାଇଦିଏ ତେବେ ଧରି ନିଆଯିବ ଭାରତ ସୁପର-୮ରୁ ବାହାର ହୋଇଯିବ । କାରଣ ଏହି ସ୍ଥିତିରେ ଯଦି ୱେଷ୍ଟଇଣ୍ଡିଜ ଭାରତଠୁ ତୃତୀୟ ମ୍ୟାଚ୍ ହାରିଯାଏ ତେବେ ଉଭୟ ଦଳର ୪-୪ ପଏଣ୍ଟ ହେବ । ମାତ୍ର ନେଟ୍ ରନ ରେଟରେ ୱେଷ୍ଟଇଣ୍ଡିଜ ବହୁତ ଆଗରେ ରହିଛି । ଦକ୍ଷିଣ ଆଫ୍ରିକାର ତୃତୀୟ ମ୍ୟାଚ୍ ଜିମ୍ବାୱେ ସହ ରହିଛି । ଯଦି ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତିଯାଏ ତେବେ ତାର ମଧ୍ୟ ୪ ପଏଣ୍ଟ ହେବ । ଏମିତିରେ ବି ଦକ୍ଷିଣ ଆଫ୍ରିକାର ରନ ରେଟ୍ ଭାରତଠୁ ଉନ୍ନତ ରହିଛି ।
ତେଣୁ ଏମିତି ସ୍ଥିତିରେ ଭାରତୀୟ ଦଳ ଚାହିଁବ ଯେ, ଗୁରୁବାର ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜକୁ ପରାସ୍ତ କରୁ । ଆଉ ଭାରତ ଜିମ୍ବାୱେକୁ ହରାଇବା ପରେ ନିଜର ତୃତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ହରାଉ । ଏମିତି ହେଲେ ଦକ୍ଷିଣ ଆଫ୍ରିକା ସହ ଭାରତ ସେମିକୁ ଉନ୍ନୀତ ହେବ । ଯଦି ୱେଷ୍ଟଇଣ୍ଡିଜ ଜିତିଯାଏ ତେବେ ଭାରତର ସେମିକୁ ଯିବା ବହୁତ ମୁସ୍କିଲ ହୋଇଯିବ ।