ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଏବଂ ପରେ ଜାତକ ନ ମିଶିବା ନାଁରେ ବିବାହ କରିବାକୁ ମନା କରିବା ଅପରାଧ ହୋଇପାରେ । ନିକଟରେ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଏହି ଗୁୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି, ଏମିତି ବ୍ୟବହାର କରିବା ବ୍ୟକ୍ତିଙ୍କ ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ଉପରେ ସନ୍ଦେହ ଉତ୍ପନ ହେଉଛି । ଅଦାଲତ ଦୁଷ୍କର୍ମ ଅଭିଯୋଗ ଲାଗିଥିବା ଅଭିଯୁକ୍ତ ତରଫରୁ ଦାଖଲ ଜାମିନ ଆବେଦନକୁ ଖାରଜ ମଧ୍ୟ କରିଛନ୍ତି ।
ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ଆବେଦନ ଉପରେ ଶୁଣାଣି କରିଥିଲେ । ସେ କହିଛନ୍ତି, ଉପସ୍ଥାପନ ହୋଇଥିବା ତଥ୍ୟ ପ୍ରମାଣରୁ ଏହା ଜଣା ପଡୁଛି ଯେ, ଅଭିଯୁକ୍ତ ଜଣକ ମହିଳାଙ୍କୁ ଭରସା ଦେଇଥିଲେ ଯେ, ଜାତକ ମିଶି ଯାଇଛି । ତେଣୁ ବିବାହରେ ଆଉ କୌଣସି ବାଧା ନାହିଁ। ଏହା ସହ ଆମେ ଶୀଘ୍ର ବିବାହ କରିବା ବୋଲି ଅଭିଯୁକ୍ତ ପୀଡିତ ମହିଳାଙ୍କୁ କହିଥିଲେ ।
ଅଦାଲତ ଏହା ମଧ୍ୟ କହିଛନ୍ତି, ବିବାହର ଭରସା ଦେବା ପରେ ଜାତକ ନ ମିଶିବା ଆଧାରରେ ବିବାହ କରିବାକୁ ମନା କରିବା, ଯୁବକଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠୁଛି । ଏହି କ୍ଷେତ୍ରରେ ବିଏନଏସର ଧାରା ୬୯ ଆଧାରରେ ଅପରାଧ ଶ୍ରେଣୀରେ ଆସୁଛି । କାରଣ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଏବଂ ପୁଣି ଜାତକ ବାହାନ କରି ମନା କରିବା ଗୋଟିଏ ପ୍ରକାରର ଅପରାଧ ବୋଲି କୋର୍ଟ କହିଛନ୍ତି । ଯଦି ଜାତକ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ତେବେ ବିବାହ ପ୍ରତିଶ୍ରୁତି ଦେବା ପୂର୍ବରୁ କିମ୍ବା ଶାରୀରିକ ସଂପର୍କ ରଖିବା ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବାର ଥିଲା ।
ମାମଲା କଣ ?
ପୀଡିତ ମହିଳା ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ଜଣକ ତାଙ୍କ ସହ ଦୀର୍ଘ ସମୟ ଧରି ସଂପର୍କରେ ଥିଲେ । ଅଭିଯୁକ୍ତ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ବନ୍ଧ ରଖିଲେ । ମହିଳା ଏହା ମଧ୍ୟ ଦାବି କରିଛନ୍ତି ଯେ, ଅଭିଯୁକ୍ତ ଏବଂ ତାଙ୍କ ପରିବାର ପକ୍ଷରୁ ବିବାହ ପ୍ରତିଶ୍ରୁତି ମିଳିବା ପରେ ସେ ପ୍ରଥମେ ଦେଇଥିବା ଏଫଆଇଆର ପ୍ରତ୍ୟାହାର କରି ନେଇଥିଲେ । ହେଲେ ପରେ ଅଭିଯୁକ୍ତ ଜଣକ ଜାତକ ନ ମିଶିବା ବାହାନା କରି ବିବାହ କରିବାକୁ ମନା କରିଥିଲେ ।
Also read: ଦିଲ୍ଲୀ ବିମାନ ବନ୍ଦରରେ ଟଳିଲା ବଡ ଦୁର୍ଘଟଣା, ୧୫୫ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନର କରାଗଲା ଏମରଜେନ୍ସି ଲ୍ୟାଣ୍ଡିଂ