ଭୁବନେଶ୍ୱର: ବର୍ଷକ ମଧ୍ୟରେ ଆମ ବସ୍ ଦୁର୍ଘଟଣାରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ଆମ ବସ୍ ଦୁର୍ଘଟଣାରେ ଅକାଳରେ ୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ କେବଳ ଭୁବନେଶ୍ୱରର ୬ ଜଣ ରହିଥିବା ବେଳେ କଟକରେ ଜଣଙ୍କ ଜୀବନ ଯାଇଛି। ସେହିପରି ଗୁରୁତରଙ୍କ ମଧ୍ୟରେ କେବଳ ରାଜଧାନୀ ଭୁବନେଶ୍ୱରରେ ୪ଜଣ ଗୁରୁତର ହୋଇଛନ୍ତି। ପୁରୀ,ରାଉରକେଲା, ସମ୍ବଲପୁର, ଓ ବ୍ରହ୍ମପୁରରେ ଜଣେ ଲେଖାଏଁ ଗୁରୁତର ହୋଇଛନ୍ତି।
ରାଜ୍ୟରେ ‘ଆମ ବସ୍’ର ଆତଙ୍କ ଥମିବାର ନାଁ ଧରୁନି। କେଉଠି ଅଟୋ ଉପରେ ଚଢ଼ିଲାଣି ତ’ କେତେବେଳେ ବାଇକ୍ ଉପରେ ମାଡ଼ିଗଲାଣି। କେଉଁଠି ପଥଚାରୀଙ୍କ ଉପରେ ଚଢ଼ିଯାଉଛି। ଗତକାଲି ମଧ୍ୟ ରାଜଧାନୀରେ ଆମ ବସ୍ ଆତଙ୍କ ଖେଳାଇଛି। ପଲାସପଲ୍ଲୀ ଅଞ୍ଚଳରେ ଜଣକ ଉପରେ ମାଡ଼ିଯାଇଥିଲା। ପଳାସପଲ୍ଲୀ ଓଭର୍ବ୍ରିଜ୍ ପାଖରେ ଆମ ବସ୍ ଧକ୍କାରେ ଜଣେ ବୁଟ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପୋଖରୀପୁଟ ଅଞ୍ଚଳର ୬୪ ବର୍ଷୀୟ ରମେଶ ପାତ୍ର। ତାଙ୍କ ଡ଼ାହଣ ଗୋଡ଼ ଉପରେ ବସ୍ ଚଢ଼ିଯିବାରୁ ଗୋଡ଼ ଭାଙ୍ଗିଯାଇଛି। ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବେପରୁଆ ଆମ ବସ୍ ଚାଳକର ଏଭଳି ଉନ୍ମତ୍ତକାଣ୍ଡ ଦେଖି ଉତ୍ତ୍ୟକ୍ତ ଲୋକେ ବସ୍କୁ ଭଙ୍ଗାରୁଜା କରିବା ସହ ବସ୍ରେ ନିଆଁ ଲଗାଇ ରାସ୍ତାରୋକ କରିଥିଲେ। ୨ ଘଣ୍ଟା ଧରି ପଳାସପଲ୍ଲୀ ଅଞ୍ଚଳରେ ନାକାବନ୍ଦି ସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ବସ୍କୁ ଜବତ କରିବା ସହ ଚାଳକକୁ କାବୁ କରି ଥାନାକୁ ନେବା ପରେ ସ୍ଥିତି ଆୟତ୍ତ ହୋଇଥିଲା।
ଅଧିକ ପଢନ୍ତୁ: ଓଡ଼ିଶାରେ ଖାଲି ପଡ଼ିଛି ୯୪ହଜାର ୪୮୫ ସରକାରୀ ପଦବୀ; ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ରହିଛି ସର୍ବାଧିକ