କୋରାପୁଟ: ଏକ ସପ୍ତାହ ଧରି ନିଖୋଜ ଥିବା ମାଆ ଓ ପୁଅଙ୍କ ମଧ୍ୟରୁ ପୁଅର ଗଳିତ ମୃତ ଦେହ କେନାଲ ନିକଟରୁ ମିଳିଛି । ତାହା ପୁଣି ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ । କିନ୍ତୁ ମାଆର ଖବର ଏ ଯାଏ ମିଳୁନି । ନାବାଳିକା ଝିଅ ପ୍ରେମ ପାଇଁ ନିଜ ଜନ୍ମିତ ମାଆ ଓ ରକ୍ତର ଭାଇକୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି ।
ସୂଚନା ଅନୁଯାୟୀ ବୋରିଗୁମ୍ମା ମେଇନ ରୋଡ଼ରେ ରହୁଥିବା ଅନୁଷ୍କା ପରିଡା (୪୫), ପୁଅ ଏହେମ ପରିଡ଼ା (୧୪) ଏବଂ ଝିଅ (୧୬) ଏକ ମିକ୍ସଚର୍ ଫ୍ୟାକ୍ଟ୍ରିରେ ରହିଆସୁଥିଲେ । ଗତ ୨୦ ତାରିଖରେ ମାଆ ଓ ପୁଅ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ଜଣା ପଡ଼ିଥିଲା । ସେମାନଙ୍କ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଦେଖାଇଥିଲା । ୨୧ ତାରିଖରେ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ତେବେ ଚାରି ଦିନ ପରେ ଆଜି କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡିରା ମୁଣ୍ଡା କେନାଲ ନିକଟରେ ଏକ ବସ୍ତା ଭାସୁଥିବାର ଲୋକେ ଦେଖି ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ପୋଲିସ, ଅଗ୍ନିଶମ ଟିମ୍ ଏବଂ ସାଇଣ୍ଟିଫିକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବସ୍ତାକୁ କୂଳକୁ ଆଣିଥିଲେ । ସେହି ବସ୍ତା ଭିତରୁ ଗଳିତ ମୃତ ଦେହ ମିଳିଥିଲା । ଯାହାକୁ ଏହେମ ପିରିଡାର ବୋଲି ସ୍ପଷ୍ଟ ହୋଇଛି । ପୁଅର ଗଳା କାଟାଯାଇଥିବାବେଳେ ତାର ହାତ ଗୋଡ଼ ମଧ୍ୟ ବନ୍ଧା ଯାଇଥିଲା ।
ସେପଟେ ପଡ଼ୋଶୀ କହିଛନ୍ତି ଯେ ଝିଅ ନିକଟସ୍ଥ ଗୋଟିଏ ପୁଅକୁ ପ୍ରେମ କରୁଛନ୍ତି । କିନ୍ତୁ ମାଆ ସବୁବେଳେ ସେହି ସେଥିରୁ ଦୂରେଇ ରହିବାକୁ ଝିଅକୁ କହୁଥିଲେ । ସେଥିପାଇଁ ମାଆ ଭାଇଙ୍କୁ ରାସ୍ତାରୁ ହଟାଇବାକୁ ଝିଅ ଏହି ହତ୍ୟା କରିଥିବା କହିଛନ୍ତି । ତେବେ ପୋଲିସ ଅନୁଷ୍କାଙ୍କ ଝିଅ ଏବଂ ତାର ପ୍ରେମିକକୁ ଅଟକ ରଖି ପଚରା ଉଚରା କରୁଛି । ଖୁବଶୀଘ୍ର ମାଆର ସନ୍ଧାନ ମିଳିଯିବ ବୋଲି ଏସଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ।