ଭୁବନେଶ୍ୱର/କନ୍ଧମାଳ: ରାଜ୍ୟରେ ବର୍ତ୍ତମାନ ପ୍ରାୟ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି । ଏ ନେଇ ବିଧାନସଭାରେ ବିଜେଡ଼ି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ମାଓବାଦୀ ଜନିତ ସ୍ଥିତିରେ କ୍ରମାଗତ ଭାବରେ ଉନ୍ନତି ପରଲକ୍ଷିତ ହୋଇଛି । କନ୍ଧମାଳ ଜିଲ୍ଲାକୁ ଅଦର୍ ଏଡବ୍ଲ୍ୟୁଇ ଆଫେକ୍ଟେଡ୍ ଡିଷ୍ଟ୍ରିକ୍ଟ ବର୍ଗରେ ରଖାଯାଇଛି । ଅନ୍ୟ ଆଠଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନୂଆପଡ଼, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାକୁ ଲିଗାସୀ ଆଣ୍ଡ୍ ଥ୍ରଷ୍ଟ ଜିଲ୍ଲା ବର୍ହରେ ରଖାଯାଇଅଛି । ଏବେ ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି । ୫ ବର୍ଷରେ ୪୮ ମାଓବାଦୀ ନିହତ ଓ ୭୮ ମାଓବାଦୀ ଗିରଫ ହୋଇଛନ୍ତି । ୮୨ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ୨୦୨୫ ମସିହାରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।
ସେପଟେ କନ୍ଧମାଳରେ ଏଡିଜି ସଞ୍ଜୀବ ପଣ୍ଡା ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ କନ୍ଧମାଳ ଜିଲ୍ଲାରେ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି। ଜିଲ୍ଲାର ରାଇକିଆ, ଦାରିଙ୍ଗବାଡ଼ି, କୋଟପାଡ଼ ଅଞ୍ଚଳରେ ଲାଲବାହିନୀ ସକ୍ରିୟ ଅଛନ୍ତି । ମାଓ ନେତା ଶୁକ୍ରୁ ଏହାର ନେତୃତ୍ଵ ନେଉଛନ୍ତି । ତେଣୁ ହିଂସାର ପଥ ଛାଡ଼ି ଆତ୍ମସମର୍ପଣ ପାଇଁ ଏଡିଜି ପୁଣି ଥରେ ଆହ୍ୱାନ କରିଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଡେଡ୍ଲାଇନ ପାଳନ କରାଯିବ । ଯଦି କେହି ଆତ୍ମସମର୍ପଣ କରନ୍ତି ସରକାର ସମସ୍ତ ସୁବିଧା ଯୋଗାଇ ଦେବେ । ତେବେ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ବୌଦ୍ଧ ଜିଲ୍ଲାକୁ ନକ୍ସଲମୁକ୍ତ ବୋଲି ଏଡିଜି ଘୋଷଣା କରିଛନ୍ତି ।