କେନ୍ଦ୍ରାପଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର-ସ୍ପେଶାଲିଷ୍ଟ ଚାରିଟେବଲ୍ ହସ୍ପିଟାଲ ପ୍ରତିଷ୍ଠା ହେବା ସହିତ ସ୍ୱାସ୍ଥ୍ୟସେବାରେ ଏକ ବଡ଼ ଉନ୍ନତି ଘଟିବାକୁ ଯାଉଛି। ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ଦାନପୁର ପଂଚାୟତର ରଜାଙ୍ଗ ଠାରେ ଏକ ସାଇ ଆରୋଗ୍ୟ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ ଭୂମିପୁଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l One world one family missionର ମୁଖ୍ୟ ସଦଗୁରୁ ଶ୍ରୀ ମଧୁସୂଦନ ସାଇ ମୁଖ ଅତିଥି ଭାବେ ଯୋଗଦେଇ ଭୂମିପୂଜନ କରିଥିଲେ। ଏହି ପରିପେକ୍ଷୀରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।
ପ୍ରଶାନ୍ତି ବାଲ ମନ୍ଦିର ଟ୍ରଷ୍ଟ ଅଧୀନରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପଟି ଓଡ଼ିଶାରେ ଟ୍ରଷ୍ଟର ପ୍ରଥମ ହସ୍ପିଟାଲ ହେବ। ରାଜ୍ୟ ସରକାର ଏହି ସୁବିଧା ପାଇଁ ୧୦ ଏକର ଜମି ଚିହ୍ନଟ କରିସାରିଛନ୍ତି। ଏହି ହସ୍ପିଟାଲ ଓଡ଼ିଶାର ଲୋକମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସେବା ଯୋଗାଇବ, ଯେଉଁଥିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ରହିବେ।
୧୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। ଏହାଦ୍ୱାରା କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ। ଆବଶ୍ୟକ ଭିତ୍ତିଭୂମି ସହାୟତା ସୁନିଶ୍ଚିତ କରିବା ପାଇଁ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଏହି ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଏହି ହସ୍ପିଟାଲ ଐତିହାସିକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରିବ, ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବା ସହ ଓଡ଼ିଶାର ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବ।
ଅଧିକ ପଢନ୍ତୁ: ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ; ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ରଖିଲେ ଚାଞ୍ଚଲ୍ୟକର ତଥ୍ୟ