ଭୁବନେଶ୍ୱର: ଗୋଟିଏ ପଟେ ଚାଷୀ ପ୍ରସଙ୍ଗକୁ ନେଇ କ୍ରମାଗତଭାବେ ବିଧାନସଭା ଅଚଳ ରହିଥିବାବେଳେ ଏପଟେ ଗୃହ ବାହାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜ୍ୟସଭା ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଛନ୍ତି । ନବୀନ ମାଷ୍ଟ୍ରରଟ୍ରୋକ୍ ଖେଳିବେ ବୋଲି ଦଳୀୟ ବିଧାୟକମାନେ ଦମ୍ଭୋକ୍ତି କରୁଥିବାବେଳେ ସେପଟେ ବିଜେପି କହିଛି ବିଜେଡ଼ି ଏବେଠୁ ଭୟଭୀତ ହୋଇ ରହିଛି ।
ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ଅଟେ । ଏଠି ବହୁତ ରାଜନୀତି ବିଶେଷଜ୍ଞମାନେ ଅଛନ୍ତି । କିନ୍ତୁ ନବୀନ ପଟ୍ଟନାୟକଙ୍କ ସ୍ୱୀକୃତି ଯାହାକୁ ଯିବା ସିଏ ପ୍ରାର୍ଥୀ ହେବ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପିର ଦୁଇଟି ଏବଂ ବିଜେଡ଼ିର ଗୋଟିଏ ଆସନ ରହିବ । କିନ୍ତୁ ଚତୁର୍ଥ ଆସନ ବିଜେଡ଼ିର ରହିବା ଉଚିତ । କାରଣ ବିଜେପିର ଯିଏ ପ୍ରାର୍ଥୀ ହୋଇଯିବେ ସିଏ ସଂସଦରେ ମୂକ ବଧିର ହୋଇ ବସି ରହିବେ ବୋଲି ତାଚ୍ଛଲ୍ୟ କରିଛନ୍ତି ଅରୁଣ ।
ସେହିପରି ଅରୁଣଙ୍କ ତାଳ ସହ ତାଳ ମିଳାଇ ସାରଦା ନାୟକ ମଧ୍ୟ ନବୀନ ସବୁ ଫର୍ମାଟରେ ଫିଟ୍ ବୋଲି କହିଛନ୍ତି । ନବୀନ ଟ୍ୱେଣ୍ଟି-ଟ୍ୱେଣ୍ଟିରେ ଖେଳିବେ ୱାଣ୍ଡେରେ ଖେଳିବେ ଏବଂ ଟେଷ୍ଟରେ ବି ଖେଳିବ । ଆଗାମୀ ଦିନରେ ବିଜେଡ଼ି କଣ ଖେଳ କରୁଛି ଦେଖ ବୋଲି କହିଛନ୍ତି ସାରଦା । ଦିଲ୍ଲୀରୁ ବିଜେପି ଶାସନ ନିୟନ୍ତ୍ରଣ ହେଉଛି । କିନ୍ତୁ ବିଜେଡ଼ି ଓଡ଼ିଶାବାସୀଙ୍କ ପାଇଁ ଓ ଓଡ଼ିଶା ସ୍ୱାର୍ଥ ପାଇଁ ଲଢ଼ିବ ।
ଦୁଇ ବିରୋଧୀ ବିଧାୟକଙ୍କ ମନ୍ତବ୍ୟରେ ଜବାବ ରଖିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ କହିଛନ୍ତି ଯେଉଁମାନେ ଦଳରେ ବଡ଼ ଦାୟିତ୍ୱରେ ସେମାନେ ନିଷ୍ପତ୍ତି ନେବେ । କିନ୍ତୁ ବ୍ୟକ୍ତିଗତ ଆକଳନ ଅନୁଯାୟୀ ବିଜେପିର ଦୁଇଟି ଏବଂ ବିଜେଡ଼ିର ଗୋଟିଏ ଆସନ ରହିବ । ଆଉ ଗୋଟିଏ ଆସନ ଝୁଲାରେ ରହିବ । କଂଗ୍ରେସ କେତେବେଳେ କଣ କହୁଛି ଜଣାନାହିଁ । କିନ୍ତୁ ନବୀନ ଯେଉଁ ମାଷ୍ଟ୍ରରଷ୍ଟ୍ରୋକ୍ ଖେଳିବେ କହୁଛନ୍ତି ତାହା ଧାମନଗର ଉପନିର୍ବାଚନ ଓ ସାଧାରଣ ନିର୍ବାଚନ ଭଳି ନ ହେଉ । ବିଜେଡ଼ି ଏବେଠୁ ଯେଉଁ କହୁଛି ଆସନ ନେଇଯିବ ତାହାହେଲେ ସିଏ ଭୟଭୀତ ହୋଇଗଲେଣି । ତେଣୁ ସମୟକୁ ଅପେକ୍ଷା କରନ୍ତୁ ଖେଳ ଅଲଗା ହେବ ବୋଲି ଇଶାରା ଦେଇଛନ୍ତି ମନୋରଞ୍ଜନ ।