ମାଲକାନଗିରି: ମାଓ ସଂଗଠନକୁ ଏକ ଶକ୍ତ ଝଟକା ଲାଗିଛି । କୁଖ୍ୟାତ ମାଓ ନେତା ମଲ୍ଲା ରାଜି ରେଡ୍ଡି ଓ ଦେବଜୀ ଓରଫ ତ୍ରିପାରୀ ତିରୁପତି ସହିତ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସମସ୍ତେ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ସିପିଆଇର ପଲିଟବ୍ୟୁରୋ ସଦସ୍ୟ ମଲ୍ଲା ରାଜି ରେଡ୍ଡି ଜଣେ ରଣନୀତିଜ୍ଞ କ୍ୟାଡର ନେତା ଏବଂ ଅନେକ ବଡ଼ ଅପରେସନର ମାଷ୍ଟରମାଇଣ୍ଡ । ରାଜି ରେଡ୍ଡୀ ଏକାଧିକ ନାମରେ ଜଣାଶୁଣା ଥିଲା ଯଥା, ସାଥେନା, ସାୟନ୍ନା, ମୀସାଲନ୍ନା, ସାଗର, ଆଲୋକ, ଦେଶପାଣ୍ଡେ, ଏସଏନ, ଲକ୍ଷ୍ମଣ, ସଂଗ୍ରାମ ଏବଂ ମୁରଲୀ ଭଳି ଅନେକ ନାମ। ୧୯୭୫ ମସିହାରେ ସେ ମାଓ ସଂଗଠନରେ ଯୋଗ ଦେଇଥିଲା । ତାର ପ୍ରଥମ ସ୍ତ୍ରୀ ରତ୍ନମ୍ମା ମଧ୍ୟ ଜଣେ ମାଓ ସଦସ୍ୟା ଥିଲା । ୧୯୯୮ ମସିହାରେ ସେ ଏନକାଉଣ୍ଟରରେ ନିହତ ହୋଇଥିଲା । ସେହିପରି ଦେବଜୀ ସିପିଆଇ ମାଓ ସଂଗଠନର ସାଧାରଣ ସମ୍ପାଦକ ଥିଲା । ଏହି ଦୁଇ ନେତାଙ୍କ ଆତ୍ମସମର୍ପଣ ମାଓ ସଂଗଠନକୁ ଏକ ଶକ୍ତ ଝଟକା ବୋଲି କୁହାଯାଉଛି । ତେବେ ଏ ନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।