ଯାଜପୁର: ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବେଆଇନ ଫାର୍ମ ହାଉସ ଉପରେ ହୋଇଛି ବୁଲ୍ଡୋଜର ଆକ୍ସନ । ମଙ୍ଗଳବାର ପ୍ରଶାସନ ପକ୍ଷରୁ ସରକାରୀ ଜମି ଉପରେ ଥିବା ଫାର୍ମ ହାଉସ ପାଚେରୀ ସହିତ କିଛି ଘରକୁ ଉଚ୍ଛେଦ କରାଯାଇଛି । ପ୍ରାୟ ଏକ ଏକର ୧୦ ଡିସିମିଲ୍ ସରକାରୀ ଜମିକୁ ପ୍ରଣବ ମାଡ଼ି ବସିଥିଲେ ।
ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ତଳଗଡ଼ ରାଜସ୍ୱ ସର୍କଲ ଅଧୀନ ମଧୁପୁରଗଡ଼ ମୌଜାରେ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସ ରହିଛି । ବିଜେଡ଼ି କ୍ଷମତା ଥିବାବେଳେ ସରକାରୀ ଜମିକୁ ହାତ କରି ସେଠାର ଫାର୍ମ ହାଉସ ତିଆରି କରାଯାଇଥିବା ଅଭିଯୋଗ ହୋଇଥିଲା । ପ୍ରଣବ କିଣିଥିବା ଜାଗାଠାରୁ ଅଧିକ ଜାଗା ଦଖଲ କରୁଥିବା ଓ ସରକାରୀ ଜମି ଜବରଦଖଲ କରିଥିବା ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଧର୍ମଶାଳା ତହସିଲ ପକ୍ଷରୁ ପ୍ରଣବଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ ନୋଟିସ ହୋଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପ୍ରଣବ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ନିଜର ୧୨. ୮୮ ଏକର ଜାଗାକୁ ଚିହ୍ନଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତହସିଲ ପକ୍ଷରୁ ପ୍ରଣବଙ୍କ ସୀମାକୁ ଲାଗି ରହିଥିବା ଉତ୍ତରପ୍ରଦେଶର ଦୟାଶଙ୍କର, ଜଗନ୍ନାଥ ମଠ ମାର୍ଫିତ ଜଗନ୍ନାଥ ବଳ ବିଜେ ମଧୁପୁର ଗଡ଼, ରେବତୀ ବଳ, ଶ୍ରୀବାସ ଜେନା, ମଧୁପୁରଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରଭାସ ଗଡ଼ନାୟକଙ୍କୁ ମାପଚୁପ ବିଷୟରେ ନୋଟିସ ଜାରି କରାଯାଇଥିଲା । ଏହା ପରେ ଗତ ସପ୍ତାହରେ ପ୍ରଶାସନ ପକ୍ଷରୁ ଜମିର ମାପଚୁପ କରାଯାଇଥିଲା । ପ୍ରାୟ ଦୁଇ ଦିନ ଧରି ମାପଚୁପ ହୋଇଥିଲା ।
ମାପଚୁପରେ ତହସିଲଦାର ସମୀର ରଞ୍ଜନ ଦାସ, ସୁପର ଭାଇଜର ସୁଜିତ କୁମାର ସାମଲ, ୩ ଜଣ ରାଜସ୍ଵ ନିରୀକ୍ଷକ ତିଳତମା ସାହୁ, ଚନ୍ଦନ କୁମାର ସାହୁ, ଅନିଲ ସୁନ୍ଦର ଦାସ, ୨ ଜଣ ସରକାରୀ ଅମିନ ଦୀନେଶ କୁମାର ପୃଷ୍ଟି ଓ ନିହାରକାନ୍ତ ବିଶ୍ଵାଳ ସାମିଲ ଥିଲେ । ପ୍ରଣବଙ୍କ ପକ୍ଷରୁ ତାଙ୍କ ଓକିଲ କ୍ଷୀରୋଦ ମୁଦୁଲି ଓ ଦୁଇଜଣ ଅମିନ ଉପସ୍ଥିତ ରହି ମାପଚୁପର ତଦାରଖ କରିଥିଲେ।