ସୁବର୍ଣ୍ଣପୁର: ଧରାପଡିଲା ଅପହରଣକାରୀ ପ୍ରେମିକ। ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରୁ ନବବଧୂଙ୍କୁ ଅପହରଣ କରିବା ଘଟଣାରେ ଆଜି ଅପହରଣକାରୀ ପ୍ରେମିକ ଓ ଅପହୃତା ନବବଧୂ ରଶ୍ମୀଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ। ସମ୍ବଲପୁର ପୋଲିସ ଓ ସୁବର୍ଣ୍ଣପୁର ପୋଲିସ ମିଳିତ ଚଢାଉ କରି ଉଭୟଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ଉଭୟଙ୍କୁ ସୁବର୍ଣ୍ଣପୁର ପୋଲିସକୁ ହସ୍ତାନ୍ତର କରାଯାଇଛି। ଜଣେ ସାଙ୍ଗ ଘରେ ଯୁବକଙ୍କ ଜଣକ ଥିବା ବେଳେ ପୋଲିସ ତାଙ୍କୁ ଉଠାଇ ଆଣିଛି।
ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ବଲାଙ୍ଗୀର କାମାକ୍ଷୀ ନଗରର ଜଣେ ଯୁବକ ବିବାହ ହେବାକୁ ବୌଦ୍ଧ ଜିଲା କଣ୍ଟାମାଳ ଥାନା କଣ୍ଟାମାଳ ରଥପଡାକୁ ବରଯାତ୍ରୀ ନେଇ ଯାଇଥିଲେ। ସେଠାରେ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିଲା। ନବବଧୂକୁ ନିଜ ଡେକୋରେଟିଭ କାରରେ ଧରି ବର ଖୁସି ମନରେ ଘରକୁ ଫେରୁଥିବା ବେଳେ ବାଟରେ ଘଟିଥିଲା ଅଘଟଣ। ତରଭା ନିକଟରେ କିଛି ଯୁବକ ତାଙ୍କ କାରକୁ ଅଟକାଇଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନବବଧୂକୁ ଅପହରଣ କରି ନେଇ ଚମ୍ପଟ ମାରିଥିଲେ। ଏନେଇ ବରପକ୍ଷ ତରଭା ଥାନାକୁ ଆସି ଅଭିଯୋଗ କରିଥିଲେ। ଅପହରଣ କରିଥିବା ଯୁବକ ଜଣକ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।