ପୁରୀ: ଖୁବଶୀଘ୍ର ଘୋଷଣା ହୋଇପାରେ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣିତର ତାରିଖ । ରତ୍ନ ଅଳଙ୍କାର ଗଣତିରେ ଦୁଇଟି ଟିମ୍ ନିୟୋଜିତ ହେବେ । ମଙ୍ଗଳବାର ରତ୍ନ ଭଣ୍ଡାର ଅଳଙ୍କାର ଗଣତି ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ରତ୍ନ ଅଳଙ୍କାର ଗଣତି, ଟିମ୍ ନିୟୋଜନ, ଗଣତି ପ୍ରକ୍ରିୟା, ଭିଡ଼ିଓ ଗ୍ରାଫି, କମ୍ପୁଟରୀକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଛି ।
ଆଜି (ମଙ୍ଗଳବାର) ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରତ୍ନ ଅଳଙ୍କାର ଗଣତିମଣତି ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଥିଲା । ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍ଓପିକୁ ସର୍ବ ସମ୍ମୁଖରେ ଖୋଲିଥିଲେ ଏବଂ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଥିଲେ। ପ୍ରଶାସକଙ୍କ ସୂଚନା ଅନୁଯାୟୀ, ପ୍ରଥମେ ରତ୍ନ ଅଳଙ୍କାର ଗଣତି ନେଇ ଚିଠା ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଥିଲା, ତାହାକୁ ପୂର୍ବରୁ ବିଧି ସବ୍ କମିଟି ବୈଠକ, ଜଷ୍ଟିସ୍ ରଥଙ୍କ କମିଟି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା। ଏହା ପରେ ମାନ୍ୟବର ଆଇନ ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମିଳିଛି।
ଗଣତିମଣତି ପାଇଁ ୧୪ ପୃଷ୍ଠା ସମ୍ବଳିତ ଏସଓପି ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ସମସ୍ତ ପ୍ରକ୍ରିୟାକୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି । ଗଣତି କେବେ ହେବେ ସେ ନେଇ ବିଧି ଅନୁସାରେ ପରିଚାଳନା କମିଟି ତାରିଖ ଘୋଷଣା କରିବ। ତେବେ ଶ୍ରୀମନ୍ଦିର ନୀତିକାନ୍ତିକୁ ଦେଖି ଗଣତି କରାଯିବ। ନୀତି ବହୁଳ ଦିନ ଗୁଡ଼ିକରେ ଗଣତି କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନରେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହାକୁ ଧ୍ୟାନରେ ରଖାଯିବ।
ମାର୍ଚ୍ଚ ମାସରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ୧୩୫ଟି ଦିନ ରହିଛି । ବିଭିନ୍ନ ନୀତିକାନ୍ତି, ଛୁଟି ଦିନ, ରବିବାର ଦିନରେ ଗଣତି କରାଯିବ ନାହିଁ, ଏପରି ପ୍ରାୟ ୧୦୦ଟି ଦିନ ରହିଛି। ତେଣୁ ଅବଶିଷ୍ଟ ଦିନରେ ଗଣତି କରିବାକୁ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ଦିନଗୁଡ଼ିକୁ ପରିଚାଳନା କମିଟି ବିଚାରକୁ ନେଇ ତାରିଖ ସ୍ଥିର କରିବେ।
ଗଣତି ପାଇଁ ନିୟୋଜିତ ହେବେ ୨ଟି ଟିମ୍:
ଗଣତିମଣତି ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ମୋଟ ଦୁଇଟି ଟିମ୍ ଗଣତିରେ ନିୟୋଜିତ ହେବେ। ଟିମକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା- ତଦାରଖ ଦଳ ବା ତତ୍ୱାବଧାରକ ଦଳ ଓ କାର୍ଯ୍ୟବାହୀ ବା କାର୍ଯ୍ୟସମ୍ପାଦନ ଦଳ ।
ତଦାରଖ ଦଳ:
ପ୍ରତି ତଦାରଖ ଦଳରେ ଜଣେ ମୁଖ୍ୟ ପ୍ରଶାସକ, ରତ୍ନ ଭଣ୍ଡାର ଉଚ୍ଚ ସ୍ତରୀୟ କମିଟିର ଦୁଇ ଜଣ ସଦସ୍ୟ ଓ ସବ୍ କମିଟିର ଜଣେ ସେବକ ସଦସ୍ୟ ରହିବେ। ମୁଖ୍ୟ ପ୍ରଶାସକ କିମ୍ବା ଅତିରିକ୍ତ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷ ରହିବେ। ଯଦି ସେମାନେ ଅନୁପସ୍ଥିତ ରୁହନ୍ତି ତେବେ ଜିଲ୍ଲାପାଳ କିମ୍ବା ଉପ-ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିବେ। ଯଦି ଜିଲ୍ଲାପାଳ କିମ୍ବା ଉପ ମୁଖ୍ୟ ପ୍ରଶାସକ ଅନୁପସ୍ଥିତ ରୁହନ୍ତି ତେବେ ନୀତି ପ୍ରଶାସକ କିମ୍ବା ଆଡମିନିଷ୍ଟ୍ରେଟିଭ୍ ଡେଭଲ୍ପର୍ ତଦାରଖ କରିବେ। ଯେଉଁ ଉଚ୍ଚ ସ୍ତରୀୟ କମିଟି ରହିଛି ସେହି କମିଟିର ଦୁଇ ଜଣ ସଦସ୍ୟ ତଦାରଖ ଦଳରେ ରହିବେ। ରତ୍ନ ଭଣ୍ଡାର ସବ୍ କମିଟିର ଜଣେ ସଦସ୍ୟ ରହିବେ, ଯାହାକୁ କମିଟି ଅଧ୍ୟକ୍ଷ ସୁପାରିଶ କରିବେ। ଗଣତି ସମୟରେ ଅତିବେଶୀରେ ତଦାରଖ ଦଳର ତିନି ଜଣ ସଦସ୍ୟ ଭଣ୍ଡାର ଭିତରକୁ ପ୍ରବେଶ କରିପାରିବେ।
କାର୍ଯ୍ୟବାହୀ ଦଳ:
ସେହିପରି କାର୍ଯ୍ୟସମ୍ପାଦନ ଦଳରେ ମୁଖ୍ୟ ପ୍ରଶାସକ କିମ୍ବା ଉପମୁଖ୍ୟ ପ୍ରଶାସକ, ରତ୍ନ ଭଣ୍ଡାର ଉଚ୍ଚ ସ୍ତରୀୟ କମିଟିର ସଦସ୍ୟ ଦଳପତି ହିସାବରେ ରହିବେ ଏବଂ ପରିଚାଳନା କମିଟିର ୫ ଜଣଙ୍କ ମଧ୍ୟରୁ ଜଣେ ସେବକ ସଦସ୍ୟ ରହିବେ। ପର୍ଯ୍ୟାୟ କ୍ରମେ କେଉଁ ଦିନ କେଉଁ ସେବକ ସଦସ୍ୟ ଯିବେ ତାହା ପରିଚାଳନା କମିଟି ସ୍ଥିର କରିବ। ଶ୍ରୀମନ୍ଦିର ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉକରଣ, ଦେଉଳ କରଣ ଏବଂ ମନୋନୀତ ଜଣେ ବଣିଆ ସେବକ କାର୍ଯ୍ୟବାହୀ ଦଳରେ ରହିବେ। ସରକାରଙ୍କ ନିଷ୍ପତ୍ତି କ୍ରମେ ଦୁଇ ଜଣ ବଣିଆ ରହିବେ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦ୍ୱାରା ସ୍ୱୀକୃତି ପାତ୍ର ବଣିଆ ନିୟୋଜିତ ହେବେ। ଏହା ସହିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିଯୁକ୍ତ ଦୁଇ ସଦସ୍ୟ ଉପସ୍ଥିତ ରହିବେ। ଯେଉଁମାନେ ମୂଲ୍ୟବାନ ପଥର ପରଖିବେ। ଆବଶ୍ୟକସ୍ଥଳେ ବୈଷୟିକ ଟିମ୍ ସଦସ୍ୟକୁ ସାମିଲ କରାଯିବ। ସେହିପରି ଦୁଇ ଜଣ ଫଟୋଗ୍ରାଫର ରହିବେ। ସମ୍ପୂର୍ଣ୍ଣ ପ୍ରକ୍ରିୟା ଫଟୋଗ୍ରାଫି ଏବଂ ଭିଡ଼ିଓଗ୍ରାଫି କରାଯିବ। ଗୋଟିଏ ସମୟରେ କାର୍ଯ୍ୟବାହୀ ଦଳର ୧୦ ଜଣ ସଦସ୍ୟ ଭଣ୍ଡାର ଭିତରକୁ ପ୍ରବେଶ କରିପାରିବେ। ପରିଚାଳନା କମିଟିର ଅଧ୍ୟକ୍ଷ ଥିବା ଗଜପତି ମହାରାଜ କିମ୍ବା ଉପାଧ୍ୟକ୍ଷ ଯେକୌଣସି ସମୟରେ ମୁଖ୍ୟ ପ୍ରଶାସକଙ୍କ ଜ୍ଞାତରେ ଭଣ୍ଡାର ଭିତରକୁ ପ୍ରବେଶ କରିପାରିବେ।
ପ୍ରକାଶିତ ହେବ ନାହିଁ ତାଲିକା:
୧୯୭୮ ମସିହାରେ ମେ ୧୩ ରୁ ଜୁଲାଇ ୨୩ ମଧ୍ୟରେ ପାଖାପାଖି ୭୨ ଦିନ ଧରି ଗଣତି କରାଯାଇଥିଲା। ଏହା ପରେ ୧୯୮୨ ଏବଂ ୧୯୮୫ ମସିହାରେ ରୁପା ଅଳଙ୍କାରର ତାଲିକା ସହିତ ନୂତନ ପ୍ରସ୍ତୁତ ତାଲିକାକୁ ମେଳକ କରାଯିବ । ସରକାରଙ୍କ ନିଷ୍ପତ୍ତି ଅନୁସାରେ କେବଳ ନାମ ତାଲିକା ସର୍ବସମ୍ମୁଖରେ ପ୍ରକାଶ କରାଯିବ କିନ୍ତୁ ରତ୍ନ ଅଳଙ୍କାର ତାଲିକା ପ୍ରକାଶ କରାଯିବ ନାହିଁ।
ପର୍ଯ୍ୟାୟ କ୍ରମେ ହେବ ଗଣତି:
ତିନୋଟି ବର୍ଗରେ ରତ୍ନ ଭଣ୍ଡାର ରହିଛି। ତେଣୁ ପ୍ରଥମେ ତୃତୀୟ ବର୍ଗ ବା ଚଳନ୍ତି ରତ୍ନ ଭଣ୍ଡାର, ପରେ ଦ୍ୱିତୀୟ ବର୍ଗ ବା ବାହାର ରତ୍ନ ଭଣ୍ଡାର ଅଳଙ୍କାର ଏବଂ ଶେଷରେ ପ୍ରଥମ ବର୍ଗ ବା ଭିତର ରତ୍ନ ଭଣ୍ଡାରର ଅଳଙ୍କାର ଗଣତି କରାଯିବ। ପ୍ରତ୍ୟେକ ଦିନ ଭିତର ରତ୍ନ ଭଣ୍ଡାରର ଚାବି ଖୋଲାଯିବ ଏବଂ ଗଣତି ଶେଷ ପରେ ଟ୍ରେଜେରୀରେ ଦାଖଲ କରାଯିବ । ପରବର୍ତ୍ତୀ ଦିନ ପୁଣି ଥରେ ଗଣତି ବେଳେ ଚାବି ଟ୍ରେଜେରୀରୁ ଆଣି ଭଣ୍ଡାର ଖୋଲାଯିବ। ସେହି ସମୟରେ ମାଜିଷ୍ଟ୍ରେଟ୍ ଏବଂ କ୍ୟାମେରାମ୍ୟାନଙ୍କ ଉପସ୍ଥିତିରେ ଚାବି ରଖାଯିବ। ସେହି ସ୍ଥାନକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ଗୋପନୀୟତାର ସହିତ ରଖାଯିବ। ଯେଉଁ କ୍ୟାମେରାମ୍ୟାନ୍ ନିଯୁକ୍ତ ହେବେ ସେ ସମସ୍ତ ତଥ୍ୟ ଗୋପନୀୟ ରଖିବେ ବୋଲି ଲିଖିତ ଆକାରରେ ଦେବେ।
ସେହିପରି କେଉଁ ହିସାବରେ ଫଟୋ, ଭିଡ଼ିଓ ଏବଂ ଡିଜିଟାଲକରଣ କରାଯିବ, ତାହା ମଧ୍ୟ ଏସଓପିରେ ଉଲ୍ଲେଖ ରହିଛି । ପ୍ରତ୍ୟେକ ଦିନ ଗଣତି ଶେଷ ହେବା ପରେ ଦୁଇ ଦଳର ସଦସ୍ୟମାନେ ଦସ୍ତଖତ କରିବେ । ଯାହାକୁ କମ୍ପୁଟରୀକରଣ କରାଯିବ। ଗଣତି ଶେଷ ହେବା ପରେ ଦୁଇ ଦଳ ଦ୍ୱାରା ପ୍ରସ୍ତୁତ ଅସଲ କପି ତାଲିକାକୁ ପରିଚାଳନା କମିଟିକୁ ହସ୍ତାନ୍ତର କରାଯିବ ଏବଂ ତାହାକୁ ପ୍ରଥମେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯିବ । ପରବର୍ତ୍ତୀ ସମୟରେ ତାହାର ନକଲ କପି ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ।
ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ବିସ୍ତୃତ ବ୍ୟବସ୍ଥାବଳୀ ଅନୁସାରେ ପୂର୍ବରୁ ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର, ମରାମତି, ପୁନର୍ବାର ଅଳଙ୍କାର ସ୍ଥାନ ଆଦି ସୁରୁଖରେ ସମ୍ପାଦନ ହୋଇଛି। ତେଣୁ ଗଣତିମଣତି ମଧ୍ୟ ନିର୍ବିଘ୍ନରେ ସମ୍ପାଦନ ହେବ ବୋଲି ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି।