ନୂଆଦିଲ୍ଲୀ: ଦିଲ୍ଲୀରୁ ଲେହ ଯାଉଥିବା ସ୍ପାଇସ ଜେଟର ଏକ ବିମାନ ବୋଇଙ୍ଗ ୭୩୭ ମଙ୍ଗଳବାର ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ବିମାନକୁ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି । ଉଡାଣ ଭରିବାର ତୁରନ୍ତ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏହି କାରଣରୁ ଲେହ ଯିବା ପରିବର୍ତ୍ତେ ଦିଲ୍ଲୀ ବିମାନ ବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ଏହି ସମୟରେ ବିମାନରେ ୧୫୫ ଯାତ୍ରୀ ଥିଲେ । ଏହି ଘଟଣାରେ କାହାରି କୌଣସି କ୍ଷତି ଘଟିନାହିଁ ।
ଏଏନଆଇ ଅନୁଯାୟୀ, ଇଞ୍ଜନ ନମ୍ବର ୨ ଫେଲ୍ ହେବା କାରଣରୁ ଏମରଜେନ୍ସିଂ ଲ୍ୟାଣ୍ଡିଂ କରିବାକୁ ପଡିଛି । ଅବତରଣ ପରେ ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀରୁ ଲେହ ଯାଉଥିବା ବିମାନକୁ ଦିଲ୍ଲୀ ବିମାନ ବନ୍ଦର ଫେରିବାକୁ ପଡିଛି । ସକାଳ ୬ଟା ୪୫ରେ ବିମାନର ସୁରକ୍ଷିତ ଅବତରଣ କରାଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବିମାନରୁ ବାହାର କରାଯାଇଛି । କକପିଟରେ ଫାୟର ୱାର୍ଣ୍ଣିଂର କୌଣସି ସଙ୍କେତ ମିଳିନାହିଁ ।
ବିମାନ ଏସଜି ୧୨୧ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରିଥିଲା । ଟେକ ଅଫ କରିବା ମାତ୍ରେ କ୍ରୁ ମେମ୍ବର୍ସ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ସାବଧାନ ପୂର୍ବକ ପାଇଲଟ୍ ବିମାନକୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ବିମାନକୁ ପୂରା ନିୟମ ଓ ପ୍ରକ୍ରିୟା ଅନୁସାରେ ସୁରକ୍ଷିତ ଭାବେ ଅବତରଣ କରାଯାଇଛି । ସୁରକ୍ଷା ଏଜେନ୍ସି ସହ ଡାକ୍ତରୀ ଦଳ ସେଠାରେ ଉପସ୍ଥିତ ଅଛନ୍ତି ।
Also read: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ନେତାନ୍ୟାହୁ ଚିନ୍ତିତ!