ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଚାଲିଥିବାବେଳେ କପଡ଼ା ଖୋଲି ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣାରେ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିବଙ୍କୁ ଗିରଫ କରାଯାଇଛି । ତାଙ୍କ ସହିତ ସାମିଲ ଅନ୍ୟ ଜଣେ ଯୁବ ନେତା ଜିତେନ୍ଦ୍ର ଯାଦବଙ୍କୁ ମଧ୍ୟରେ ମଧ୍ୟ ପ୍ରଦେଶର ଗ୍ୱାଲିୟରରୁ ଗିରଫ କରାଯାଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି । ଫଳରେ ଏହି ଗିରଫଦାରୀ ସଂଖ୍ୟା ୫ ରେ ପହଞ୍ଚିଛି ।
ଗତ ଶୁକ୍ରବାର ଦିନ ଏଆଇ-ଇମ୍ପ୍ୟାକ୍ଟ ସମ୍ମିଳନୀର ଅନ୍ତିମ ଦିବସ କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ୍ ୧୦ ଜଣ ଯୁବ କଂଗ୍ରେସ କର୍ମକର୍ତ୍ତା ସମସ୍ତ ସୁରକ୍ଷାକୁ ଭେଦ କରି ସମ୍ମିଳନୀ ସ୍ଥଳରେ ପହଁଚି ଯାଇଥିଲେ ଏବଂ ମଞ୍ଚ ଉପରେ ନିଜ ଦେହରୁ କପଡ଼ା ଖୋଲି ବ୍ୟାନର୍ ପୋଷ୍ଟର୍ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ସେମାନଙ୍କୁ ତୁରନ୍ତ ନିଜ ହେପାଜତକୁ ନେଇଯାଇଥିଲେ । ଏହି ସମୟରେ ମଞ୍ଚ ନିକଟର ଅନେକ ଦିଗ୍ଗଜ ବ୍ୟକ୍ତି ଉପସ୍ଥିତ ଥିଲେ । ଏହାକୁ ବିଜେପି ଜାତୀୟ ଲଜ୍ଜା ବୋଲି ଆଖ୍ୟା ଦେଇଥିଲା ।