ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ଓଡ଼ିଶା କୋଟାରେ ଚାରୋଟି ଆସନ ମଧ୍ୟରୁ ତିନୋଟି ସ୍ଥିର ହୋଇସାରିଥିବାବେଳେ ଚତୁର୍ଥ ଆସନଟି ଝୁଲାରେ ରହିଛି । ଚତୁର୍ଥ ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
ଆଜି ବିଜେଡ଼ି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ । ଏହାରି ମଧ୍ୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଁଚିବା ପରେ ହଠାତ୍ ରାଜନୀତି ମହଲରେ ଚର୍ଚ୍ଚା ବଢ଼ିଯାଇଛି । ଯାହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଗତକାଲି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦତ୍ତେଶ୍ୱର ନାମକୁ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଆଜି ଦତ୍ତେଶ୍ୱର ନବୀନ ନିବାସରେ ପହଁଚିଛନ୍ତି । ଅନେକ ବିଜେଡ଼ି ନେତୃବୃନ୍ଦ ମଧ୍ୟ ପହଁଚିସାରିଛନ୍ତି । ଯଦି ନିର୍ବାଚନରେ ସମସ୍ତ ଦଳ ସହମତି ପ୍ରକାଶ କରନ୍ତି ତେବେ ଚତୁର୍ଥ ପ୍ରାର୍ଥୀ ନିର୍ବାଚିତ ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଭୋଟ୍ ଦାନରେ ହେରଫେର ହୁଏ ତେବେ ଚତୁର୍ଥ ପ୍ରାର୍ଥୀ ଜିତିବା କଷ୍ଟକର ହୋଇପାରେ ।
କିଏ ଡାକ୍ତର ଦତ୍ତେଶ୍ୱର ହୋତା ?
ତେବେ ଏହି ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା ହେଉଛି, ତାଙ୍କର ଚିକିତ୍ସା କ୍ଷେତ୍ରରେ କ’ଣ ଅଭିଜ୍ଞତା ରହିଛି ? ଡାକ୍ତର ଦତ୍ତେଶ୍ୱର ହୋତାଙ୍କର ଏକାଧାରାରେ ଜଣେ ଚିକିତ୍ସକ ଏବଂ ଗାୟକ । ଡାକ୍ତର ହୋତା ଚିକିତ୍ସା କ୍ଷେତ୍ରରେ ତାଙ୍କର ୪୧ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ସେ ରାଜ୍ୟ ତଥା ଦେଶରେ ବିଭିନ୍ନ ମେଡ଼ିକାଲ କଲେଜରେ ବିଭିନ୍ନ ପଦ ପଦବୀରେ ରହିଛନ୍ତି । ଡାକ୍ତର ହୋତା ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି । ଏସିସି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ଓ ଡିନ୍ ରହିବା ସହିତ ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ । ଜଟିଳ ଅସ୍ତ୍ରୋପଚାର କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛନ୍ତି ।
ଶିକ୍ଷାଗତ ଯୋଗ୍ୟତା
ଯଦି ଆମେ ଡାକ୍ତର ହୋତାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖିବା ତାହା ହେଲେ ସେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୧୯୮୩ ମସିହାରେ ଏମିବିବିଏସ୍ ଏବଂ ୧୯୮୬ ମସିହାରେ ଜେନେରାଲ ସର୍ଜରୀରେ ଶିକ୍ଷା ଲାଭ କରିଥିଲେ । ୧୯୯୪ ମହିସାରେ ପିଜିଆଇଏମଇଆର ଚଣ୍ଡିଗଡ଼ରୁ ୟୁରୋଲୋଜିରେ ଏମସିଏଚ୍ କରିଛନ୍ତି । ଏହା ସହିତ ୟୁରୋଲୋଜି ବିଭାଗରେ ସେ ଅନେକ ଅନୁସନ୍ଧାନ ମଧ୍ୟ କରିଛନ୍ତି ।
ସେହିପରି ଦତ୍ତେଶ୍ୱର ହୋତା ଜଣେ ଭଲ କଣ୍ଠଶୀଳ୍ପୀ । ସେ ବିଭିନ୍ନ ପ୍ରଡକ୍ସନ୍ ହାଉସରେ ଅନେକ ଭଜନରେ କଣ୍ଠଦାନ ମଧ୍ୟ କରିଛନ୍ତି ।
୨୦୧୭ ମସିହାରେ ଡାକ୍ତର ହୋତାଙ୍କୁ ପ୍ରତିଷ୍ଠିତ ଡକ୍ଟର ବିସି ରୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସୋସାଇଟି ଅଫ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଏବଂ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଛି।