ଫୁଲବାଣୀ: ବିଚ୍ ରାସ୍ତାରେ ପୁଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ। ଫୁଲବାଣୀ ଟାଉନ୍ ଥାନାର କନେଷ୍ଟବଳ ମନୋରଞ୍ଜନ ସାବତଙ୍କୁ ଦୁଇଜଣ ଯୁବକ ବିଚ୍ ରାସ୍ତାରେ ସର୍ବସାଧାରଣଙ୍କ ସାମ୍ନାରେ ମୁଥ, ଗୋଇଠା ମାରି ଲହୁଲୁହାଣ କରିବା ସହ ଛୁରିମାଡ଼ ବି କରିଛନ୍ତି। ସହରର ଜନଗହଳିପୂର୍ଣ୍ଣ ସାଇମନ୍ଦିର ରାସ୍ତାରେ ଘୋଷାଡ଼ି ତଳେ ପକାଇ ମାଡ଼ ମାରୁଥିବା ବେଳେ ଜନସାଧାରଣ ଦେଖଣାହାରୀ ସାଜିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇଦେଇଛି। ଦୁଇଜଣ ମଦ୍ୟପ ଯୁବକ ତାଙ୍କୁ ରାସ୍ତା ଉପରେ ପକାଇ ବେକ, ଛାତି ଓ ମୁହଁକୁ ଗୋଇଠା, ମୁଥ ମାରିବା ସହ ତଳେ ପକାଇ କୁଦିଥିଲେ, ଯାହାର ଭିଡ଼ିଓ ମଧ୍ୟ ଗଣମାଧମରେ ପ୍ରସାରିତ ହେଉଛି।
ଏନେଇ ଟାଉନ ଥାନାରେ କେସ୍ ନମ୍ବର ୬୨ରେ ଏକ ମାମଲା ରୁଜୁ ସହ ଦୁଇ ଅଭିଯୁକ୍ତ ସାଲୁଙ୍କୀସାହିର ସନ୍ତୋଷ ପ୍ରଧାନ ଓ ଅଞ୍ଜନ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁଲିସ କନେଷ୍ଟବଳ ମନୋରଞ୍ଜନସାଦା ପୋଷାକରେ ଥିବାବେଳେ କୌଣସି କାରଣକୁ ନେଇ ଦୁଇ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଉଭୟ ଉତ୍କ୍ଷିପ୍ତ ହୋଇ ମନୋରଞ୍ଜନଙ୍କୁ ଗଳାଧକ୍କା ଦେଇ ତଳେ ପକାଇଦେଇଥିଲେ। ମନଇଚ୍ଛା ତାଙ୍କୁ ଛେଚିବା ସହ ସହ ଛୁରିରେ ବି ଆକ୍ରମଣ କରିବାକୁ ପଛାଇ ନଥିଲେ। ଉପସ୍ଥିତ ଲୋକେ ଚୁପ୍ଚାପ ଏହି ଦୃଶ୍ୟ ଦେଖୁଥିବା ବେଳେ କେହି ବି ଉଦ୍ଧାର କରିବାକୁ ସାହସ କରିନଥିଲେ।
ତେବେ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ମନୋରଞ୍ଜନଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନିୟୋଜିତ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ସର୍ବସାଧାରଣଙ୍କ ସାମ୍ନାରେ ଏଭଳି ମରଣାନ୍ତକ ଆକ୍ରମଣ ଘଟଣା ଏବେ ପୁଲିସର କାର୍ଯ୍ୟଦକ୍ଷତା ଓ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲଗାଇଛି। ଏହି ଘଟଣାରେ ଫୁଲବାଣୀ ଟାଉନ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ମାମଲା ରୁଜୁ କରିଛି। ଏହି ଘଟଣା ପରେ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି, ଯେଉଁମାନେ ଅପରାଧୀମାନେ ପୋଲିସ ଅଧିକାରୀଙ୍କୁ ଏତେ ଖୋଲାଖୋଲି ଆକ୍ରମଣ କରିପାରିବେ କି ନାହିଁ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ସହରରେ ମଦ୍ୟପ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନାଗରିକ।
ଅଧିକ ପଢନ୍ତୁ: ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ; ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ଟିକେଟ୍