ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀକୁ ନେଇ ଶନିବାର ନବୀନ ନିବାସରେ ହାଇଭୋଲଟେଜ୍ ଡ୍ରାମା ହୋଇଛି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ କିଛି ସମୟ ପାଇଁ ଉଚ୍ଚବାଚ ହୋଇଥିବାର ଖବର ଆସିଛି ।
ଆଜି ନବୀନ ନିବାସର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପାଇଁ ସମସ୍ତ ବିଧାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣାନାମା ପଢ଼ୁଥିବା ସମୟରେ ହଠାତ୍ ପ୍ରଭାତ ନିଜ ଆସନରେ ଥାଇ ଗୋଟିଏ ମିନିଟ୍ କହିବାକୁ ଅନୁମତି ମାଗିଥିଲେ । କିନ୍ତୁ ପରେ ଆଲୋଚନା କରିବା ବୋଲି କହିଥିଲେ ନବୀନ । ପ୍ରଭାତ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ପ୍ରାର୍ଥୀ କରାଯାଉଛି ତାହା ଠିକ୍ ନୁହେଁ । ଦଳର ଅନେକ ବରିଷ୍ଠ ନେତା ଅଛନ୍ତି ସେମାନଙ୍କୁ ପ୍ରାର୍ଥୀ କରାଗଲେ ସେମାନେ ଖୁସି ହେବେ ବୋଲି ପ୍ରଭାତ କହିଥିଲେ । ଏହି ସମୟରେ ନବୀନ ପ୍ରଭାତଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କିଏ ଏହି ନିଷ୍ପତ୍ତି ନେବାକୁ । ଏହି ସମୟରେ କିଛି ବିଧାୟକ ପ୍ରଭାତଙ୍କୁ ବୁଝାସୁଝା କରି କକ୍ଷରୁ ବାହାରକୁ ଆଣିଥିଲେ ।
ବାହାରକୁ ଆସିବା ପରେ ପ୍ରଭାତ ନିଜର ଅସନ୍ତୋଷ ଝାଡ଼ିଥିଲେ । ଏହା ଏକପାଖିଆ ନିଷ୍ପତ୍ତି ଅଟେ । ଯେଉଁମାନେ ପ୍ରକୃତ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳ ପୁରସ୍କାର ଦେଉ । ଅନେକ ପରାଜିତ ପ୍ରାର୍ଥୀ ଅଛନ୍ତି ସେମାନଙ୍କୁ ସୁଯୋଗ ଦିଆଯାଉ ବୋଲି ସେ କହିଛନ୍ତି ।