ଭୁବନେଶ୍ୱର: ଏଣିକି ରାଜ୍ୟର କୌଣସି ଓଡ଼ିଆ ସ୍ଥାନର ନାମ ଇଂରାଜୀରେ ଅପଭ୍ରଂଶ ହୋଇ ଲେଖାଯିବ ନାହିଁ । ଓଡ଼ିଆ ନାମର ବନାନ ଅନୁସାରେ ଇଂରାଜୀ ବନାନ ଲେଖାଯିବ । ସେହି ସ୍ଥାନଗୁଡ଼ିକର ମୂଳ ଓଡ଼ିଶା ନାମକୁ ପୁନଃସ୍ଥାପନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବ ଚିଠି ଲେଖି ଅବଗତ କରାଇଛନ୍ତି ।
ସଚିବ ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ ଏବଂ ତହସିଲ ଯେଉଁଠି ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ/ ବିସ୍ତୃତ ରୂପ ଅଟେ । ସେସବୁ ସ୍ଥାନର ମୂଳ ଓଡ଼ିଆ ନାମଗୁଡ଼ିକୁ ସରକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏହି ବିକୃତି ରାଜ୍ୟର ପ୍ରକୃତ ଭାଷାଗତ ଓ ଓଡ଼ିଆ ଅସ୍ମିତାର ସାରକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି । ଉଦାହରଣ ସ୍ୱରୂପ "ଆଳି" ତହସିଲର ସରକାରୀ ଇଂରାଜୀ ନାମ "ଆଉଲ୍ ବା AUL" ଅଛି, ଯାହା ବ୍ରିଟିଶ ଶାସନ ସମୟରେ ଉଚ୍ଚାରଣ ଅସୁବିଧା ଯୋଗୁଁ ପ୍ରଚଳିତ ଏକ ଭୁଲ ବନାନ ଏବଂ ଏହାକୁ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି ।
ଏହି ପ୍ରସଙ୍ଗରେ ୨୦ ନଭେମ୍ବର ୨୦୨୫ରେ ଜିଲ୍ଲାପାଳଙ୍କଠାରୁ ଏକ ବିସ୍ତୃତ ରିପୋର୍ଟ ମଗାଯାଇଥିଲା । କିନ୍ତୁ, ଏପର୍ଯ୍ୟନ୍ତ କେବଳ ୧୩ଟି ଜିଲ୍ଲାରୁ ଏହି ସମ୍ପର୍କିତ ସୂଚନା ବିଭାଗକୁ ପ୍ରାପ୍ତ ହୋଇଛି । ପ୍ରାପ୍ତ ତାଲିକା ଉପରେ ବିଧାୟକ, ସାଂସଦ ଓ ଜନତାଙ୍କର ଆପତ୍ତି ତଥା ସୁପାରିଶ ଆହ୍ୱାନ କରାଯାଇଥିଲା । ତଦନୁସାରେ ଏହି ବିଷୟରେ ବିଭିନ୍ନ ଆପତ୍ତି, ସୁପାରିଶ ଏବଂ ନୂତନ ପ୍ରସ୍ତାବଗୁଡିକ ମଧ୍ୟ ପ୍ରାପ୍ତ ହୋଇଅଛି ।
ପୂର୍ବରୁ ଜିଲ୍ଲାମାନଙ୍କ ଦ୍ୱାରା ପ୍ରଦାନ କରାଯାଇତିବା ରିପୋର୍ଟକୁ ପୁନଃନିରୀକ୍ଷଣ କରି ଯଦି କିଛି ନୂତନ ପ୍ରସ୍ତାବ ଥାଏ ତାହାକୁ ସାତ ଦିନ ପଠାଇବାକୁ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ।