ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟରେ ବିଭିନ୍ନ ପର୍ବପର୍ବାଣୀ ପାଳନ ହେବାକୁ ଯାଉଛି । ଦୋଳ ପୂର୍ଣ୍ଣିମା, ହୋଲି, ଇଦ୍-ଉଲ୍-ଫିତର, ରାମ ନବମୀ, ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି ପରି ଉତ୍ସବଗୁଡ଼ିକ ରହିଛି । ଏହି ସମୟରେ ଲୋକଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କେନ୍ଦ୍ରାଞ୍ଚଳ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଡଃ ସତ୍ୟଜିତ ନାୟକଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଜନସାଧାରଣଙ୍କ ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦଭାବନା ରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏହା ଉପରେ ଦୃଷ୍ଟି ଦେବାକୁ ସମସ୍ତ ଏସପିମାନଙ୍କୁ ଆଇଜିପି ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥା, ସୋସିଆଲ୍ ମିଡ଼ିଆ ଉପରେ ନଜର, ନିଶା କାରବାର ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
ସୁରକ୍ଷା ବ୍ୟବସ୍ଥା: ସମ୍ବେଦନଶୀଳ ଅଞ୍ଚଳ ଓ ଶୋଭାଯାତ୍ରା ମାର୍ଗରେ ପାଟ୍ରୋଲିଂ ବୃଦ୍ଧି ସହ ପର୍ଯ୍ୟାପ୍ତ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୋସିଆଲ ମିଡିଆ ଉପରେ ନଜର: ଗୁଜବ ଓ ଉତ୍ତେଜନାମୂଳକ ପୋଷ୍ଟ ରୋକିବା ପାଇଁ ଜିଲ୍ଲା ସାଇବର ସେଲ୍ ୨୪×୭ କାର୍ଯ୍ୟ କରିବ।
ଅପରେସନ୍ ଜୀବନ ସୁରକ୍ଷା: ମଦ୍ୟପାନ କରି ଗାଡ଼ି ଚଳାଇବା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଉତ୍ସବ ସମୟରେ ଡିଜେ (DJ) ଶବ୍ଦ ପ୍ରଦୂଷଣ ଉପରେ କଟକଣା ଜାରି କରାଯାଇଛି।
ଶ୍ରଦ୍ଧାଳୁଙ୍କ ସୁରକ୍ଷା: ପୁରୀ ସମୁଦ୍ର କୂଳ ଓ ଅନ୍ୟ ପବିତ୍ର ଜଳାଶୟ ନିକଟରେ ଲାଇଫଗାର୍ଡ ମୁତୟନ କରାଯିବ।
ସମନ୍ୱୟ: ସ୍ଥାନୀୟ ଶାନ୍ତି କମିଟି ସହ ଆଲୋଚନା ଏବଂ ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
କୌଣସି ବି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ସର୍ବଦା ସଜାଗ ରହିଛି ବୋଲି ଡଃ ନାୟକ ପ୍ରକାଶ କରିଛନ୍ତି।