ନୂଆଦିଲ୍ଲୀ: ଛଅ ଦଶନ୍ଧିର ଧରି ରହିଥିବାର ପ୍ରତୀକ୍ଷାର ଅନ୍ତ ଘଟିଛି । ଇତିହାସ ରଚିଛି ଜମ୍ମୁ କାଶ୍ମୀର । ଦୀର୍ଘ ୬୭ ବର୍ଷ ପରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫିର ବିଜୟ ମୁକୁଟ ପିନ୍ଧିଛି ଜମ୍ମୁ କାଶ୍ମୀର । କର୍ଣ୍ଣାଟକକୁ ହରାଇ କାଶ୍ମୀର ଏହି ବିଜୟ ହାସଲ କରିଛି । ଯେଉଁଠି ଯୁବପୀଢ଼ିଙ୍କ ହାତରେ ଦିନେ ପଥର ଥିଲା, ଆଜି ସେଠି ଯୁବକମାନେ ବିଜୟ ଉତ୍ସବରେ ମତୁଆଲା ହୋଇଛନ୍ତି । ଏହି ବିଜୟ ଯୁବପୀଢ଼ିଙ୍କୁ ଏକ ନୂତନ ଦିଗଦର୍ଶନ ଦେବ ।
ହୁବଲିରେ ଖେଳାଯାଉଥିବା ରଣଜୀ ଟ୍ରଫି ଫାଇନାଲର ପଞ୍ଚମ ଦିନରେ, ଜମ୍ମୁ ଓ କାଶ୍ମୀର ନିଜର ଦ୍ୱିତୀୟ ଇନିଂସ ୩୪୨/୪ ରେ ଘୋଷଣା କରିଥିଲା । କାମରାନ ଇକବାଲ (୧୬୦) ଏବଂ ସାହିଲ ଲୋତ୍ରା (୧୦୧) ସେମାନଙ୍କର ଇନିଂସରେ ଶତକ ହାସଲ କରିଥିଲେ। ଅଧିନାୟକ ପାରସ ଡୋଗ୍ରା ଅପରାହ୍ନ ପ୍ରାୟ ୨:୧୦ ରେ ଇନିଂସ ଘୋଷଣା କରିବା ପରେ, ଦୁଇ ଅଧିନାୟକ ହାତ ମିଳାଇଥିଲେ ଏବଂ ମ୍ୟାଚ୍ ଡ୍ର ହୋଇଥିଲା । ଜମ୍ମୁ ଓ କାଶ୍ମୀର ପ୍ରଥମ ଇନିଂସରେ ୨୯୧ ରନର ବିଶାଳ ଲିଡ୍ ନେଇଥିବାରୁ, ସେମାନଙ୍କୁ ବିଜେତା ଘୋଷଣା କରାଯାଇଥିଲା । ଜମ୍ମୁ କାଶ୍ମୀର ୯୧ତମ ରଣଜୀ ଟ୍ରଫି ଟାଇଟଲ୍ ହାସଲ କରିଛି ।
ଏହି ମ୍ୟାଚ୍ରେ ଜମ୍ମୁ କାଶ୍ମୀର ପକ୍ଷରୁ ଶୁଭମ୍ ପୁଣ୍ଡିର ୧୨୧ ରନ୍ କରିଥିବା ବେଳେ ୟୱାର ହାସନ୍ ୮୮ ରନ୍ କରିଥିଲେ। ସାହିଲ ଲୋତ୍ରା ୭୨ ରନ୍ ଏବଂ ଅଧିନାୟକ ପାରସ ଡୋଗ୍ରା ଏବଂ କନହୈୟା ୱାଧାୱାନ୍ ପ୍ରତ୍ୟେକ ୭୦ ରନ୍ କରିଥିଲେ। ଅବଦୁଲ୍ ସମଦ ମଧ୍ୟ ୬୧ ରନ୍ କରିଥିଲେ । ପ୍ରସିଦ୍ଧ କ୍ରୀଷ୍ଣା ପାଞ୍ଚଟି ୱିକେଟ୍ ନେଇଥିଲେ। କାମରାନ୍ ଇକବାଲ୍ ଦ୍ୱିତୀୟ ଇନିଂସରେ ତାଙ୍କର ଶତକ ପୂରଣ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ମୟଙ୍କ ଅଗ୍ରୱାଲ୍ ୧୬୦ ରନ୍ର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ କେହି ଅର୍ଦ୍ଧଶତକ ମଧ୍ୟ କରିପାରି ନଥିଲେ। ଆକିବ୍ ନବି ଦାର ୫ଟି ୱିକେଟ୍ ନେଇଥିଲେ।