ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିିସିଆଇ) ଆଫଗାନିସ୍ତାନର ଆଗାମୀ ଭାରତ ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି । ଆଫଗାନିସ୍ତାନ ଟିମ୍ ଜୁନରେ ଭାରତ ଗସ୍ତ କରିବ । ଏହି ଗସ୍ତରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ଟେଷ୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହି ଟେଷ୍ଟ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଅଂଶ ବିଶେଷ ହେବ ନାହିଁ । କାରଣ ଆଫଗାନିସ୍ତାନ ଡବ୍ଳ୍ୟୁଟିସିର ଅଂଶ ନୁହେଁ । ଜୁନ ୬ରେ ଦୁଇ ଦଳ ମଧ୍ୟରେ ଏକ ମାତ୍ର ଟେଷ୍ଟ ଖେଳାଯିବ । ଏହା ପରେ ଦିନିକିଆ ସିରିଜ୍ ଖେଳାଯିବ ।
ଏକମାତ୍ର ଟେଷ୍ଟ ଜୁନ ୬ରୁ ୧୦ ପର୍ଯ୍ୟନ୍ତ ନ୍ୟୁଚଣ୍ଡିଗଡରେ ଖେଳାଯିବ । ପ୍ରଥମ ଦିନିକିଆ ଜୁନ ୧୪ରେ ଧର୍ମଶାଳା, ଦ୍ୱିତୀୟ ଦିନିକିଆ ୧୭ରେ ଲଖନଉ ଏବଂ ତୃତୀୟ ଦିନିକିଆ ଜୁନ ୨୦ରେ ଚେନ୍ନାଇରେ ଖେଳାଯିବ । ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରୁ ଆରମ୍ଭ ହେବ ।
ଉଲ୍ଲେଖନୀୟ ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ବିଶ୍ୱକପ୍ ଖେଳୁଛି । ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ମାର୍ଚ୍ଚ ୫ରେ ଇଂଲଣ୍ଡ ସହ ମୁକାବିଲା କରିବ ଭାରତ । ମାର୍ଚ୍ଚ ୮ରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ଏହା ପରେ ୨୦ ଦିନର ବିଶ୍ରାମ ନେବେ ଖେଳାଳି । ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୬ । ଏହାର ଫାଇନାଲ୍ ମ୍ୟାଚ୍ ମେ ୩୧ରେ ଖେଳାଯିବ ।
ସୂଚନାଯୋଗ୍ୟ, ଆଫଗାନିସ୍ତାନ ୨୦୧୮ରେ ନିଜର ପ୍ରଥମ ଟେଷ୍ଟ ଭାରତ ବିପକ୍ଷରେ ଖେଳିଥିଲା । ଉକ୍ତ ମ୍ୟାଚରେ ଭାରତ ବିଶାଳ ବିଜୟ ହାସଲ କରିଥିଲା । ଭାରତ ଆଫଗାନିସ୍ତାନକୁ ଇନିଂସ ଓ ୨୬୨ ରନରେ ପରାସ୍ତ କରିଥିଲା । ଆଫଗାନିସ୍ତାନ ଏ ପର୍ଯ୍ୟନ୍ତ ୧୨ଟି ଟେଷ୍ଟ ଖେଳି ୪ଟି ଜିତିଥିବା ବେଳେ ୭ଟି ହାରିଛି ଏବଂ ଗୋଟିଏ ଡ୍ର ରହିଛି ।
Also read: ଟି-୨୦ ବିଶ୍ବକପ୍-୨୦୨୬ ସେମିଫାଇନାଲ: ୱାଙ୍ଖେଡେ ଷ୍ଟାଡିୟମରେ ଲଢ଼ିବେ ଭାରତ-ଇଂଲଣ୍ଡ