ବ୍ରହ୍ମପୁର : ରୁପା ଶଗଡିରେ ବସିଛି କନିଆ । ଗାଁର ଖଦଖଦଡିଆ ରାସ୍ତାରେ କେଁ କଟ କଟ ଶବ୍ଦରେ ଗଡୁଛି ସୁସଜ୍ଜିତ ଶଗଡ଼ ଗାଡ଼ି । ଆଉ ଭିତରେ ବସିଛି ସୁନା କନିଆଁ । ଯାହା ଅତୀତର ସେହି ପୁରୁଣା ଚଳଚ୍ଚିତ୍ର ଗୀତ " ରୂପା ଶଗଡିରେ ସୁନା କନିଆ" ହେଉ କିମ୍ବା "କେଁ କଟ କଟ ଶଗଡ ଗାଡି " କୁ ମନେ ପକାଇ ଦେଉଛି ।
ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସାମନ୍ତରାପଲ୍ଲୀ ଅଞ୍ଚଳର। ଯେଉଁଠି ଏକ ନିଆରା ଢଙ୍ଗରେ ହୋଇଛି ବାହାଘର। ଯେଉଁଠି ନିଜ ବାହାଘରକୁ ଆଧୁନିକତାର ଛିଟା ଦେବାକୁ ପ୍ରତିଯୋଗିତା ଚାଲୁଛି, ଡିଜେ ବାଜୁଛି, ବାଣ ଫୁତୁଛି ଓ ପୁଳାପୁଳା ଟଙ୍କା ଖର୍ଚ୍ଚ ହେଉଛି, ସେଭଳି କ୍ଷେତ୍ରରେ ବ୍ୟୟବହୁଳ ଶୋଭାଯାତ୍ରା ଠାରୁ ଦୂରରେ ରହି ପୁରୁଣା ସଂସ୍କୃତିକୁ ଗ୍ରହଣ କରି ନବେ ଦଶକରେ ଚାଲୁଥିବା ଏହି ଟ୍ରେଣ୍ଡକୁ ଆପଣାଇ ଏଭଳି ନିଆରା ଢଙ୍ଗରେ ବାହା ହୋଇଛନ୍ତି ସାମନ୍ତରାପଲ୍ଲୀ ଗ୍ରାମର ଶନିଶ୍ଚର ପ୍ରଧାନ ଓ ତାଙ୍କୁ ସହମତି ପ୍ରଦାନ କରିଛନ୍ତି ତାଙ୍କ ଧର୍ମପତ୍ନୀ ତଥା ପୋଲସରା ନିକଟବର୍ତ୍ତି କଳମ୍ବର ସୁନା କନିଆ ବର୍ଷାରାଣୀ ପ୍ରଧାନ।
ଯାହା ପୁରୁଣା କାଳରେ ସଧାରଣ ଘଟଣା ଥିଲା, ତାହା ଆଧୁନିକ ଯୁଗରେ ବିଲୁପ୍ତ ହୋଇଥିଲେ ମଧ୍ୟ ପୁଣି ଥରେ ଏହି ପୁରୁଣା ପରମ୍ପରାକୁ ପୁନର୍ଜୀବିତ କରିଛନ୍ତି ଏହି ନବ ଦମ୍ପତି। ଯାହାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଦୀର୍ଘ କୋଡ଼ିଏ କିଲୋମିଟର ପର୍ଯ୍ୟନ୍ତ ଏହି ସୁସଜ୍ଜିତ ଶଗଡ ଗାଡି ଗଡିଲା ବେଳେ ରାସ୍ତାସାରା ଏ ଦୃଶ୍ୟକୁ ମନଭରି ଉପଭୋଗ କରିବା ସହିତ ଲୋକଙ୍କ ଆଖି ଲାଖି ଯାଉଥିଲା ଶଗଡ ଗାଡ଼ିରେ। ଯେଉଁଠି କନିଆମାନେ ଦାମିକା ଗାଡ଼ିରେ ଆସି ସ୍ଵାମୀଙ୍କ ଘର ଏରୁଣ୍ଡି ବନ୍ଧ ଡିଅନ୍ତି, ସେଭଳି କ୍ଷେତ୍ରରେ ବର୍ଷାରାଣୀ ନିଜ ବାପଘରୁ ଶାଶୁ ଘରେ ପହଞ୍ଚିବା ମାତ୍ରେ ଡିଜେର ବୁକୁଫଟା ସାଉଣ୍ଡ ପରିବର୍ତ୍ତେ ବାଘ ଓ ଷଣ୍ଢ ନୃତ୍ୟ ସହିତ ବିରାଟ ପଟୁଆର ଓ ପାରମ୍ପରିକ ବାଜାରେ ଗ୍ରାମବାସୀଙ୍କ ତରଫରୁ ବର୍ଷାରାଣୀଙ୍କୁ ସ୍ବାଗତ କରି ପାଛୋଟି ନିଆ ଯାଇଥିଲା । ତେବେ ଦୀର୍ଘ ବର୍ଷ ପରେ ଏଭଳି ନିଆରା ବାହାଘର ଦେଖି ସ୍ଥାନୀୟ ଲୋକେ ବେଶ୍ ଖୁସିବ୍ୟକ୍ତ କରିବା ସହିତ ପୂର୍ବ ଅନୁଭୂତିକୁ ମନେ ପକାଇଛନ୍ତି ଅଞ୍ଚଳବାସି। ତେବେ ଏଭଳି ନିଆରା ଢଙ୍ଗରେ ବାହାଘର ନିଶ୍ଚିନ୍ତ ଭାବରେ ପ୍ରଶଂସନୀୟ ହୋଇଥିଆବ ବେଳେ ଏହା ଆଗାମୀ ଦିନରେ ଯୁବପିଢୀଙ୍କୁ ଉତ୍ସାହିତ କରିବ।