ସମ୍ବଲପୁର: ସମ୍ବଲପୁର କୋର୍ଟ ପରିସରରେ ପୁଣି ଥରେ ବୋମା ଆତଙ୍କ। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ କୋର୍ଟ ପରିସରକୁ କଡ଼ା ସୁରକ୍ଷା ବଳୟ ମଧ୍ୟକୁ ନିଆଯାଇଛି। ଧମକପୂର୍ଣ୍ଣ ସୂଚନା ପାଇବା ମାତ୍ରେ ସମ୍ବଲପୁରର ବରିଷ୍ଠ ପୋଲିସ ଅଧିକାରୀମାନେ କୋର୍ଟ ପରିସରରେ ପହଞ୍ଚିଛନ୍ତି। ଏଥିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏସଡିପିଓ ଏବଂ ସହରର ବିଭିନ୍ନ ଥାନାର ଆଇଆଇସି ସାମିଲ ଅଛନ୍ତି।
ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ସହାୟତାରେ କୋର୍ଟର କୋଣ ଅନୁକୋଣକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ସନ୍ଦେହଜନକ ବସ୍ତୁ ଉପରେ କଡ଼ା ନଜର ରଖାଯାଇଛି। ବାରମ୍ବାର ଏଭଳି ଧମକ ମିଳୁଥିବାରୁ କୋର୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ, ଓକିଲ ଏବଂ କୋର୍ଟକୁ ଆସୁଥିବା ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ଏଭଳି ଧମକ ମିଳିଥିବା ବେଳେ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି।