ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ କ୍ରିକେଟ୍ ଜଗତରେ ଚହଳ ପଡ଼ିଛି। ଭାରତର ଏହି ନିଷ୍ପତ୍ତି ବିଷୟରେ ଆଇସିସି ଇମେଲ୍ ଜରିଆରେ ଜଣାଇଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି। ଭାରତ ଏମିତି ଆଭିମୁଖ୍ୟକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛି ପିସିବ । ଆଉ ମାମଲା ପାକିସ୍ତାନ ସରକାରଙ୍କ ନିକଟରେ ପହଞ୍ଚିଛି। ଏକ ପାକିସ୍ତାନୀ ଚ୍ୟାନେଲ ଦାବି କରିଛି ଯେ, ଯଦି ଭାରତୀୟ ଦଳ ପାକିସ୍ତାନ ଆସିବ ନାହିଁ ତେବେ ପାକିସ୍ତାନ ଦଳ ଚାମ୍ପିଅନ୍ସ ଟ୍ରଫିରୁ ଓହରିପାରେ।
ଜାତୀୟ ଗଣମାଧ୍ୟମର ଅନୁଯାୟୀ, ଯଦି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ନ ଆସେ କିମ୍ବା ଟୁର୍ଣ୍ଣାମେଣ୍ଟ ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର ହୁଏ ତେବେ ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ନାହିଁ। ଏହା ପୂର୍ବରୁ ପିସିବି ଅଧ୍ୟକ୍ଷ ମୋହସିନ ରଜା ନକଭି ମଧ୍ୟ ହାଇବ୍ରିଡ ମୋଡେଲକୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି। ହାଇବ୍ରିଡ ମୋଡେଲ୍ ଉପରେ କୌଣସି ଆଲୋଚନା ହେବ ନାହିଁ ବୋଲି ପିସିବି ସ୍ପଷ୍ଟ କରି ସାରିଛି।
ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ସଂପର୍କକୁ ଦୃଷ୍ଟିରେ ରଖି ଭାରତୀୟ ଟିମ୍ ପାକିସ୍ତାନ ଗସ୍ତ କରିବ କି ନାହିଁ ଏହାର ନିଷ୍ପତ୍ତି ବିସିସିଆଇ ଭାରତ ସରକାରଙ୍କ ଉପରେ ଛାଡ଼ିଛି। ଭାରତୀୟ ଦଳ ୨୦୦୮ ମୁମ୍ବାଇ ଆକ୍ରମଣ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ। ମାତ୍ର ପାକିସ୍ତାନ ଆଇସିସି ଓ ଏସିଆ କପ୍ ପାଇଁ ଭାରତ ଗସ୍ତ କରି କ୍ରିକେଟ୍ ଖେଳି ସାରିଛି ।
ପାକିସ୍ତାନ କହିବା କଥା ଭାରତ କାହିଁକି ପାକିସ୍ତାନ ଗସ୍ତ କରିବ ନାହିଁ ତାର ଯୁକ୍ତିଯୁକ୍ତି କାରଣ ଜଣାଇବା ଦରକାର। ଟୁର୍ଣ୍ଣାମେଣ୍ଟରେ ଆମେ ଭାରତ ସହିତ ଅନ୍ୟ ଅଂଶଗ୍ରହଣକାରୀ ଦଳଗୁଡିକୁ ସର୍ବୋତ୍ତମ ସୁରକ୍ଷା ଯୋଗାଇ ଦେବୁ ବୋଲି ଆଇସିସିକୁ ଜଣାଇ ଦେଇଛୁ । ଯଦି ଭାରତ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ନ ଆସେ ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିପାରେ।