ଡର୍ବନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ପ୍ରଥମ ମୁକାବିଲା ଆଜି ଡର୍ବନରେ ଖେଳାଯିବ । ମୁକାବିଲା ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳାଯିବ । ଟସ୍ ରାତି ୮ଟାରେ ପଡିବ । ସିରିଜର ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଚୂଡାନ୍ତ ଏକାଦଶ ଚୟନ କରିବା ସେତେଟା ସହଜ ହେବନି ।
ପ୍ରଥମ ଟି-୨୦ରେ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ପଦାର୍ପଣ କରିବାକୁ ସୁ୍ଯୋଗ ମିଳିପାରେ । ୟଶ ଦୟାଲ ଓ ବିଜୟ କୁମାର ବୈଶାଖ ସିରିଜର ପ୍ରଥମ ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ପାରନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଏହି ଦୁଇ ବ୍ୟାଟର ଇନିଂସ ଓପନ କରିବେ। ଦୀର୍ଘ ସମୟ ପରେ ଦଳକୁ ଫେରିଥିବା ତିଳକ ବର୍ମା ନମ୍ବର ୩ରେ ବ୍ୟାଟିଂ କରି ପାରନ୍ତି। । ଚତୁର୍ଥ ନମ୍ବରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିବେ। ପଞ୍ଚମ କ୍ରମରେ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଛଅ ନମ୍ବରରେ ରିଙ୍କୁ ସିଂ ଫିନିସର ଭୂମିକା ନିର୍ବାହ କରିବେ। ଅକ୍ଷୟ ପଟେଲ୍ ନିମ୍ନ କ୍ରମରେ ବ୍ୟାଟିଂ କରି ପାରନ୍ତି ।
ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ବିକଳ୍ପ ରହିଛନ୍ତି । ସ୍ପିନ ବୋଲର ବରୁଣ ଚକ୍ରବର୍ତ୍ତୀ ଓ ବୋଲିଂ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଖେଳିବା ନିଶ୍ଚିତ ଲାଗୁଛି। ଏହିପରି ଭାରତ ପାଖରେ ବୋଲର ଭାବେ ଛଅ ବିକଳ୍ପ ରହିବେ। ଅର୍ଶଦୀପ, ୟଶ ଦାୟଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲିଂ ସମ୍ଭାଳୁଥିବା ବେଳେ ରବି ବିଷ୍ଣୋଇ ସ୍ପିନ ବିଭାଗ ସମ୍ଭାଳିବେ। ପ୍ରଥମ ଥର ଟି-୨୦ ଦଳରେ ସ୍ଥାନ ପାଇଥିବା ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ ପାଇଁ ସୁଯୋଗ ମିଳିପାରେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପାଇଁ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ ଶର୍ମା, ରିଙ୍କୁ ସିଂ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ବିଜୟ କୁମାର ବୈଶାଖ ଓ ୟଶ ଦୟାଲ ।