ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଏଥିରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କୁ ବଡ଼ ଝଟକା ଲାଗିଛି। କୋହଲି ପ୍ରଥମ ଥର ଟେଷ୍ଟ ମାନ୍ୟତାରେ ଟପ୍-୨୦ରୁ ବାଦ୍ ପଡ଼ିଛନ୍ତି। ୨୦୧୪ ପରେ ପ୍ରଥମ ଥର କୋହଲି ଆଇସିସି ଟେଷ୍ଟ ମାନ୍ୟତାର ଟପ୍-୨୦ରୁ ବାହାରିଛନ୍ତି। ସେ ଏବେ ୨୨ତମ ସ୍ଥାନରେ ଥିବା ବେଳେ ରୋହିତ ମଧ୍ୟ ଦୁଇଟି ସ୍ଥାନ ତଳକୁ ଖସି ୨୬କୁ ଖସି ଆସିଛନ୍ତି।
କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଦୟନୀୟ ପ୍ରଦର୍ଶନ କରି ମାତ୍ର ୯୩ ରନ କରିଥିଲେ। ଏଥିରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୭୦ ରନ। କୋହଲିଙ୍କ ପରି ରୋହିତ ଶର୍ମା ମଧ୍ୟ ବ୍ୟାଟିଂରେ ସଂପୂର୍ଣ୍ଣ ଫେଲ୍ ମାରିଥିଲେ। ଅନ୍ୟପଟେ ଟେଷ୍ଟରେ ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ନିଜର ଶୀର୍ଷ ସ୍ଥାନ ବଳବତ୍ତର ରଖିଛନ୍ତି। ଦ୍ଵିତୀୟରେ କେନ ଓ୍ଵିଲିୟମସନ ଓ ହ୍ୟାରି ବ୍ରୁକ ତୃତୀୟରେ ରହିଛନ୍ତି। ଭାରତର ଯୁବ ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥରେ ରହିଛନ୍ତି। ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ୫ଟି ସ୍ଥାନ ଉନ୍ନତି ଘଟାଇ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି।
ସେହିପରି ବୋଲିଂରେ ଅନୁଭବୀ ସ୍ପିନର ରବୀନ୍ଦ୍ରା ଜାଡ଼େଜା ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସେ ମୁମ୍ବାଇ ଟେଷ୍ଟରେ ୧୦ ଓ୍ଵିକେଟ୍ ହାସଲ କରିଥିଲେ, ଯାହାର ପ୍ରଭାବ ଟେଷ୍ଟ ମାନ୍ୟତାରେ ଦେଖିବାକୁ ମିଳିଛି। ଅଶ୍ଵିନ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ବୋଲିଂ ମାନ୍ୟତାରେ ୭ଟି ସ୍ଥାନ ଉପରକୁ ଉଠି ୪୬ତମ ସ୍ଥାନରେ ରହିଛନ୍ତି।