ନୂଆଦିଲ୍ଲୀ: ଇଣ୍ଡିଆ ଏ ବନାମ ଅଷ୍ଟ୍ରେଲିଆ ଏ ମଧ୍ୟରେ ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଉଛି । ସିରିଜର ପ୍ରଥମ ମ୍ୟାଚ୍ ହାରି ସାରିଥିବା ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟରେ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି । ଆଗାମୀ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜକୁ ଦୃଷ୍ଟିରେ କେଏଲ ରାହୁଲ ଓ ଧ୍ରୁବ ଜୁରେଲଙ୍କୁ ସୁଯୋଗ ଦିଆଯାଇଥିଲା । କେଏଲ ରାହୁଲଙ୍କୁ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ରୋହିତ ଶର୍ମାଙ୍କ ରିପ୍ଲେସମେଣ୍ଟଭାବେ ଦେଖା ଯାଉଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ସିରିଜର ପ୍ରଥମ ମ୍ୟାଚରେ ଖେଳିବା ନେଇ ସନ୍ଦେହ ରହିଛି । ଏମିତି ଭାରତୀୟ ଦଳର ନଜର କେଏଲ ରାହୁଲଙ୍କ ପରି ଅନୁଭବୀ ବ୍ୟାଟରଙ୍କ ଉପରେ ରହିଛି, ଯିଏ ଅଷ୍ଟ୍ରେଲିଆ ପରି ମୁସ୍କିଲ ପରିସ୍ଥିତିରେ ଦଳକୁ ଭଲ ଆରମ୍ଭ ଦେଇପାରିବେ ।
ଏହି କାରଣରୁ କେଏଲ ରାହୁଲଙ୍କୁ ବର୍ଡର ଗାଭାସ୍କର ପୂର୍ବରୁ ଇଣ୍ଡିଆ ଏ ଦଳରେ ଚୟନ କରାଯାଇଛି । ହେଲେ ରାହୁଲ ପ୍ରଥମ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ସେ ମାତ୍ର ୪ ରନ କରି ସ୍କଟ ବୋଲାଣ୍ଡଙ୍କ ଶିକାର ହୋଇଛନ୍ତି । ରାହୁଲ ଏହି ଇନିଂସରେ ମାତ୍ର ୪ ବଲର ସମ୍ମୁଖୀନ ହୋଇ ଗୋଟିଏ ଚୌକା ମାରି ପାଭିଲିୟନ ଫେରିଛନ୍ତି ।
କେଏଲ ରାହୁଲଙ୍କ ବ୍ୟତୀତ ଅନ୍ୟ ଓପନିଂ ବ୍ୟାଟର ଅଭିମନ୍ୟୁ ଈଶ୍ୱରନ ମଧ୍ୟ କିଛି କମାଲ କରି ପାରି ନାହାନ୍ତି । ସେ ଖାତା ଖୋଲିବା ପୂର୍ବରୁ ହିଁ ଆଉଟ୍ ହୋଇଛନ୍ତି । ଉଲ୍ଲେଖନୀୟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ ପାଇଁ ଈଶ୍ୱରନଙ୍କୁ ଭାରତୀୟ ଦଳରେ ଚୟନ କରାଯାଇଛି । ତାଙ୍କୁ ମଧ୍ୟ ରୋହିତ ଶର୍ମାଙ୍କ ବଦଳ ଖେଳାଳି ଭାବେ ଦେଖା ଯାଉଛି । ଅଭିମନ୍ୟୁ ଈଶ୍ୱରନ ମଧ୍ୟ ପ୍ରଥମ ଟେଷ୍ଟରେ କମାଲ କରି ପାରି ନ ଥିଲେ ।
ସୂଚନାଯୋଗ୍ୟ, ଇଣ୍ଡିଆ ଏ ପ୍ରଥମ ଇନିଂସରେ ୧୬୧ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ଧ୍ରୁବ ଜୁରେଲ ସର୍ବାଧିକ ୮୦ ରନର ଦମଦାର ଇନିଂସ ଖେଳିଛନ୍ତି । ଅଧିନାୟକ ଋତୁ ଗାଏକ୍ୱାଡ ମଧ୍ୟ ୪ ରନ କରି ନିରାଶ କରିଛନ୍ତି । ସାଇ ସୁଦର୍ଶନ ଖାତା ବି ଖୋଲି ପାରି ନାହାନ୍ତି ।