ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମଙ୍ଗଳବାର ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଆଇସିସି ପୁରୁଷ କ୍ରିକେଟ୍ ପାଇଁ ଟୁର୍ଣ୍ଣାମେଣ୍ଟରେ ଦଳଗୁଡ଼ିକୁ ଯେତିକି ପୁରସ୍କାର ରାଶି ଦିଆଯାଏ ଠିକ୍ ସମାନ ରାଶି ଏବେ ମହିଳା ଟୁର୍ଣ୍ଣାମେଣ୍ଟରେ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି। ଏହାର ଆରମ୍ଭ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ୨୦୨୪ ସହିତ ହେବାକୁ ଯାଉଛି।
ଆଇସିସି ମହିଳା ଟି-୨୦ ବିଶ୍ଵକପ୍ ୨୦୨୪ର ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ। ଏଥିରେ ପୁରୁଷଙ୍କ ପରି ସମାନ ପୁରସ୍କାର ରାଶି ମହିଳା କ୍ରିକେଟର ଓ ଦଳକୁ ଦିଆଯିବ। ଆଇସିସିର ଏହି ନିଷ୍ପତ୍ତି କ୍ରିକେଟ୍ ଇତିହାସରେ ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି।୨୦୨୩ ଜୁଲାଇରେ ଆଇସିସିର ବାର୍ଷିକ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଥିଲା, ଯାହାକୁ ଏବେ ଲାଗୁ କରାଯିବ।
ଆଇସିସିର ଏହି ନିଷ୍ପତ୍ତି ଅନୁଯାୟୀ, ୟୁଏଇରେ ଖେଳା ଯିବାକୁ ଥିବା ମହିଳା ଟି-୨୦ ବିଶ୍ଵକପ୍ ୨୦୨୪ରେ ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ମିଳିବ। ଏହା ପୂର୍ବରୁ ୨୦୨୩ରେ ଚାମ୍ପିଅନ ଅଷ୍ଟ୍ରେଲିଆକୁ ୮ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା। ଏଥର ଉପ ବିଜେତା ଦଳକୁ ୧୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ।
ସେମି ଫାଇନଲ୍ରେ ପରାଜିତ ଦୁଇ ଦଳକୁ ମଧ୍ୟ ମୋଟା ଅଙ୍କର ପୁରସ୍କାର ରାଶି ମିଳିବ। ମହିଳା ବିଶ୍ଵକପ୍ ୨୦୨୪ରେ ମୋଟ୍ ପୁରସ୍କାର ରାଶି ୭୯ ଲକ୍ଷ ୫୮ ହଜାର ୮୦ ଆମେରିକୀୟ ଡଲାର ରଖାଯାଇଛି। ପୁରୁଷଙ୍କ ପରି ମହିଳା କ୍ରିକେଟ୍ରଙ୍କ ଉତଥାନ ପାଇଁ ଆଇସିସି ଏହି ପଦକ୍ଷେପ ଗ୍ରହଣ କରିଛି।