ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ସେପ୍ଟେମ୍ବର ୧୯ରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ । ପ୍ରଥମ ଟେଷ୍ଟ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ବାଂଲାଦେଶ ବିପକ୍ଷରେ ଭାରତ ରେକର୍ଡ ଚମତ୍କାର ରହିଛି । ଦୁଇ ଦେଶ ମଧ୍ୟରେ ମୋଟ୍ ୧୩ଟି ଟେଷ୍ଟ ଖେଳାଯାଇଛି । ଏଥିରୁ ଭାରତ ୧୧ଟି ଜିତିଥିବା ବେଳେ ଦୁଇଟି ଡ୍ର ରହିଛି । କିନ୍ତୁ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ବାଂଲାଦେଶ ବିପକ୍ଷରେ ରେକର୍ଡ ନୈରାଶ୍ୟଜନକ ରହିଛି । ସେ ମୋଟ୍ ମାତ୍ର ୩୩ ରନ ହିଁ କରିଛନ୍ତି ।
ହିଟମ୍ୟାନ ବାଂଲାଦେଶ ବିପକ୍ଷରେ ଏ ପର୍ଯ୍ୟନ୍ତ ୩ଟି ଟେଷ୍ଟ ଖେଳିଛନ୍ତି । ଏଥିରୁ ତିନୋଟି ଇନିଂସରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିଛି । ଆଉ ପ୍ରତିଥର ରୋହିତ ବିଫଳ ରହିଛନ୍ତି । ୨୦୨୨ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା । ଆହତ କାରଣରୁ ରୋହିତ ଉକ୍ତ ସିରିଜ୍ ଖେଳି ପାରି ନ ଥିଲେ । ତେବେ ଏଥର ସିରିଜରେ ସେ ବାଂଲାଦେଶ ବିପକ୍ଷରେ ନିଜର ରେକର୍ଡ ଉନ୍ନତ କରିବାକୁ ଚେଷ୍ଟା କରିବେ ।
ରୋହିତ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ୨୦୧୫ରେ ଖେଳିଥିଲେ । ଉକ୍ତ ମ୍ୟାଚର ଗୋଟିଏ ଇନିଂସରେ ରୋହିତ ୯ ବଲରୁ ୬ ରନ କରିଥିଲେ । ପୁଣି ୨୦୧୯ରେ ଖେଳା ଯାଇଥିବା ଟେଷ୍ଟ ସିରିଜରେ ସେ ଗୋଟିଏ ଇନିଂସରେ ୬ ରନ କରିଥିଲେ । ତେବେ ସିରିଜର ଦ୍ୱିତୀୟ ମ୍ୟାଚରେ ୩୫ ବଲରୁ ୨୧ ରନ କରିଥିଲେ । ତେବେ ରୋହିତ ଚଳିତ ସିରିଜ୍ ପାଇଁ ଖୁବ୍ ଅଭ୍ୟାସ କରିଛନ୍ତି । ଚେନ୍ନାଇର ପିଚ୍ ସାଧାରଣତଃ ସ୍ପିନ ବୋଲିଂ ପାଇଁ ଉପଯୋଗୀ । ତେଣୁ ସେ ସ୍ପିନ ବୋଲିଂର ଖୁବ୍ ଅଭ୍ୟାସ୍ କରିଛନ୍ତି ।