ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଚୟନକର୍ତ୍ତା ଦଳରେ ଶ୍ରେୟସ ଆୟରଙ୍କ ଚୟନ କରି ନାହାନ୍ତି । ଶ୍ରେୟସ ସଂପ୍ରତି ଦଲୀପ ଟ୍ରଫିରେ ଇଣ୍ଡିଆ ଡିର ନେତୃତ୍ୱ ଦାୟିତ୍ୱ ସମ୍ଭାଳୁଛନ୍ତି । ଦଲୀପ ଟ୍ରଫିରେ ଆୟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହା ମଧ୍ୟରେ ବିସିସିଆଇର ନୂତନ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ବର୍ତ୍ତମାନ ଆୟରଙ୍କ ପାଇଁ ଭାରତୀୟ ଟେଷ୍ଟ ଦଳରେ କୌଣସି ସ୍ଥାନ ନାହିଁ ।
ବିସିସିଆଇର ଜନୈକ ଅଧିକାରୀ ଶ୍ରେୟସ ଆୟରଙ୍କୁ ନେଇ ଟେଲିଗ୍ରାଫ ସହ ଆଲୋଚନା କରି କହିଛନ୍ତି, ସଂପ୍ରତି ଶ୍ରେୟସ ଆୟରଙ୍କ ପାଇଁ ଟେଷ୍ଟ ଦଳରେ କୌଣସି ସ୍ଥାନ ନାହିଁ । ସେ କାହା ବଦଳରେ ଖେଳିବେ ? ବିଶେଷ କରି ଦଲୀପ ଟ୍ରଫିରେ ଯେଉଁ ଖେଳାଳିଙ୍କ ସଟ୍୍ ଚୟନ ଚିନ୍ତାର ବିଷୟ ପାଲଟିଛି ତାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିବା ବହୁତ ମୁସ୍କିଲ । ସେ କ୍ରିଜରେ ସେଟ୍ ଥାଇ ସର୍ବଦା ଏଣୁ ତେଣୁ ସଟ୍ ଖେଳୁଛନ୍ତି । ଯେବେ ଆପଣ ସେଟ୍ ଅଛନ୍ତି ଏବଂ ଫ୍ଟାଟ୍ ପିଚରେ ବ୍ୟାଟିଂ କରୁଛନ୍ତି ତେବେ ଆପଣଙ୍କୁ ସେହି ସମୟରେ ମିଳୁଥିବା ସୁଯୋଗର ଫାଇଦା ଉଠାଇବା ଉଚିତ୍ ।
ଏହା ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିଥିଲା । ଆୟର ପ୍ରଥମ ଦୁଇଟି ଟେଷ୍ଟ ଖେଳିଥିଲେ । ଆଉ ଦୁଇ ମ୍ୟାଚରେ ଆୟରଙ୍କ ବ୍ୟାଟରୁ ପ୍ରଭାବଶାଳୀ ପ୍ରଦର୍ଶନ ଦେଖିବାକୁ ମିଳି ନ ଥିଲା । ଇଂଲଣ୍ଡ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଯା୍ଇ ସେଠାରେ ୨ ମ୍ୟାଚର ଟେଷ୍ଟ ସିରିଜ୍ ଖେଳିଥିଲା । ଏଥିରେ ଆୟରଙ୍କୁ ସୁଯୋଗ ମିଳିଥିଲା ।
ସୂଚନାଯୋଗ୍ୟ, ଶ୍ରେୟସ ଆୟର ଏ ପର୍ଯ୍ୟନ୍ତ ନିଜ କ୍ୟାରିୟରରେ ୧୪ ଟେଷ୍ଟ ଖେଳି ୨୪ ଇନିଂସରୁ ୩୬.୮୬ ହାରରେ ୮୧୧ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ସେ ଭାରତ ପାଇଁ ୨୦୨୧ରେ ଟେଷ୍ଟରେ ପଦାର୍ପଣ କରିଥିଲେ । ତେବେ ବର୍ତ୍ତମାନ ତାଙ୍କର ଫର୍ମ ଚିନ୍ତାର ବିଷୟ ପାଲଟିଛି । ସୂଚନାଯୋଗ୍ୟ, ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୯ରୁ ଭାରତ ଏବଂ ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।