ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ୨୦୨୫ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ପଣ୍ଟିଂ ଏବେ ଟ୍ରେଭର ବେଲିସଙ୍କ ଜାଗା ନେବେ। ବେଲିସ ଗତ କିଛି ବର୍ଷ ଧରି ପଞ୍ଜାବର ମୁଖ୍ୟ କୋଚ୍ ଥିଲେ। ପଣ୍ଟିଂ ଗତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ଦିଲ୍ଲୀ ପାଇଁ ଦୀର୍ଘ ସମୟ କୋଚ୍ ରହିବା ପରେ ବି ଦଳ କୁ ସଫଳତା ନ ମିଳିବାରୁ ସେ ଡିସି ପାଇଁ ନିଜର କାର୍ଯ୍ୟକାଳ ଆଗକୁ ବଢାଇକୁ ଅନିଚ୍ଛା ପ୍ରକାଶ କରି ଥିଲେ।
ସୂଚନା ଅନୁଯାୟୀ, ପଣ୍ଟିଂ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜ ସହ ୪ ବର୍ଷର ଚୁକ୍ତିନାମା କରିଛନ୍ତି, ଯାହା ୨୦୨୮ରେ ସରିବ। ପଞ୍ଜାବ କିଙ୍ଗ୍ସର କୋଚିଂ ଏବଂ ସପୋର୍ଟ ଷ୍ଟାପର ପୁରା ଦାୟିତ୍ଵ ପଣ୍ଟିଂଙ୍କୁ ଦିଆଯିବ ବୋଲି କୁହାଯାଉଛି। କିନ୍ତୁ ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ଯେ, ପୁରୁଣା କୋଚିଂ ଷ୍ଟାଫଙ୍କୁ ନେଇ ଫ୍ରାଞ୍ଚାଇଜ କଣ ନିଷ୍ପତ୍ତି ନେବ।
ପଞ୍ଜାବର ପୁରୁଣା କୋଚିଂ ଷ୍ଟାଫରେ ଟ୍ରେଭର ବେଲିସ(ମୁଖ୍ୟ କୋଚ୍), ସଞ୍ଜୟ ବାଙ୍ଗର(ହେଡ ଅଫ କ୍ରିକେଟ୍ ଡେଭଲପମେଣ୍ଟ), ଚାର୍ଲ ଲାଙ୍ଗଭେଲ୍ଟ(ଦ୍ରୁତ ବୋଲିଂ କୋଚ୍) ଓ ସୁନୀଲ ଯୋଶୀ(ସ୍ପିନ ବୋଲିଂ କୋଚ୍) ସାମିଲ ଥିଲେ।ଏହି କୋଚିଂ ଷ୍ଟାଫକୁ ନେଇ ଫ୍ରାଞ୍ଚାଇଜ ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଉଛି। କାରଣ ସାଧାରଣତଃ ଯିଏ ମୁଖ୍ୟ କୋଚ୍ ହୋଇଥାନ୍ତି ସେମାନେ ତାଙ୍କ ପସନ୍ଦର ସପୋର୍ଟ ଷ୍ଟାଫ ରଖିଥାନ୍ତି। ଉଲ୍ଲେଖନୀୟ ପଞ୍ଜାବ ଗତ ୭ ସିଜିନରେ ୬ କୋଚ୍ ବଦଳାଇ ସାରିଛି।ତେବେ ଏଥର ପଣ୍ଟିଂ କୋଚିଂ ଦାୟିତ୍ଵ ସମ୍ଭାଳିବା ପରେ ଦଳର ଭାଗ୍ୟ ବଦଳୁଛି କି ନାହିଁ ତାହା ଜଣା ପଡ଼ିବ।
ପଞ୍ଜାବ କିଙ୍ଗ୍ସର ଗତ ସିଜିନ ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୪ଟି ମ୍ୟାଚ୍ରୁ ୫ଟି ଜିତି ପାରିଥିଲା। ଅଙ୍କ ତାଲିକାରେ ଦଳ ନବମ ସ୍ଥାନରେ ରହିଥିଲା। ପଞ୍ଜାବର ପ୍ଲେ ଅଫ୍ର ନିକଟତର ହୋଇ ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିବାର ପୁରୁଣା ଇତିହାସ ରଚିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୭ ସିଜିନ ସରିବା ପରେ ବି ଏହି ଦଳ ଥରୁଟିଏ ଟ୍ରଫି ଜିତି ପାରିନି। ଏବେ ରିକି ପଣ୍ଟିଂଙ୍କ ଉପରେ ପଞ୍ଜାବକୁ ଆଇପିଏଲ୍ ଚାମ୍ପିଅନ କରାଇବାର ଗୁରୁ ଦାୟିତ୍ଵ ରହିବ।