ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ରେ ଫାଇନାଲ ମ୍ୟାଚରେ ଆଜି ଚୀନକୁ ଭେଟିବ । ଦଳ ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଅନ୍ୟପଟେ ଚୀନ ସେମିରେ ପାକିସ୍ତାନକୁ ଧୂଳି ଚଟାଇ ଫାଇନାଲରେ ପହଞ୍ଚିଛି ।
ଟାଇଟଲ୍ ମୁକାବିଲା ହୁଲୁନବଇର ମୋକି ଟ୍ରେନିଂ ବେସରେ ଖେଳାଯିବ । ଭାରତୀୟ ସମୟ ଅପରାହ୍ଣ ୩ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ଭାରତ ଓ ଚୀନ ମଧ୍ୟରେ ଖେଳାଯିବାକୁ ଥିବା ଏହି ଫାଇନାଲ୍ ମ୍ୟାଚର ସିଧା ପ୍ରସାରଣର ମଜା ଭାରତୀୟ ଦର୍ଶକ ସୋନି ଲିଭରେ ନେଇ ପାରିବେ ।
ଭାରତ ଓ ଚୀନ ହକି ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳାଯାଇଛି । ଭାରତୀୟ ଦଳ ଦବଦବା ବଜାୟ ରଖି ୫ଟି ଜିିତିଥିବା ବେଳେ ଚୀନ ମାତ୍ର ଗୋଟିଏ ଜିତିବାରେ ସଫଳ ହୋଇଛି । ଉଲ୍ଲେଖନୀୟ ଭାରତ ଓ ଚୀନ ନିୟମିତ ପରସ୍ପର ମଧ୍ୟରେ ମ୍ୟାଚ୍ ଖେଳନ୍ତି ନାହିଁ । ଦୁଇ ଦଳ ମଧ୍ୟରେ ୨୦୨୩ରେ ମାତ୍ର ଗୋଟିଏ ମୁକାବିଲା ଖେଳା ଯାଇଥିଲା । ଏହା ପୂର୍ବରୁ ୨୦୧୬ରେ ଗୋଟିଏ, ୨୦୧୪ରେ ଗୋଟିଏ ଏବଂ ୨୦୧୩ରେ ଦୁଇଟି ମ୍ୟାଚ୍ ଖେଳା ଯାଇଥିଲା ।
ରେକର୍ଡକୁ ଦେଖିଲେ ଆଜିର ଫାଇନାଲ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି । ଦଳର ବର୍ତ୍ତମାନ ଫର୍ମ ଏବଂ ପ୍ରଦର୍ଶନକୁ ଦେଖିଲେ ଚୀନକୁ ସହଜରେ ହରାଇ ଚାମ୍ପିଅନ ହେବା କଥା । କିନ୍ତୁ ଖେଳରେ କିଛି କହିବା ମୁସ୍କିଲ । ତେଣୂ ଦେଖିବା ରୋଚକ ହେବ ଯେ, କେଉଁ ଦଳ ଏସିଆର ଚାମ୍ପିଅନ ହେବ ।