ବେଜିଂ: ହିରୋ ଏସିଆନ ଚାମ୍ପିଅନସ୍ ଟ୍ରଫି-୨୦୨୪ରେ ଭାରତୀୟ ପୁରୁଷ ଦଳ ବିଜୟ ଧାରା ଜାରି ରଖିଛି । ସୋମବାର ଖେଳାଯାଇଥିବା ରୋମାଞ୍ଚକଭରା ମ୍ୟାଚରେ ଭାରତ ବିପକ୍ଷୀ ଦଳ ସାଉଥ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଟିମ୍ ଇଣ୍ଡିଆ ଆୟୋଜକ ଚାଇନାକୁ ଭେଟିବାକୁ ଯାଉଛି ।
ଆଜି ଚାଇନାର ହୁଲୁଲନବ୍ୟୁରରେ ଖେଳାଯାଇଥିବା ଏସିଆନ ଚାମ୍ପିଅନସ୍ ଟ୍ରଫି ଦ୍ୱିତୀୟ ସେମି ଫାଇନାଲ ମୁକାବିଲାରେ ଭାରତୀୟ ଦଳ କୋରିଆକୁ ସାମ୍ନା କରିଥିଲା । ଉତ୍ତମ ସିଂ ଏବଂ ଜରମନପ୍ରୀତ ଗୋଟାଏ ଲେଖାଏଁ ଗୋଲ କରିଥିବା ବେଳେ ଅଧିନାୟକ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଛନ୍ତି ।
ପ୍ରଥମାର୍ଦ୍ଧର ୧୩ ମିନିଟରେ ଉତ୍ତମ ସିଂ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ଏହା ପରେ ୧୯ ମିନିଟର ଅଧିନାୟକ ହରମନପ୍ରୀତ ସିଂ ଦ୍ୱିତୀୟ ଗୋଲ ଦେଇ ଦଳର ସ୍ଥିତିକୁ ମଜବୁତ କରିଥିଲେ । ଏହା ପରେ କୋରିଆ ୩୩ ମିନିଟରେ ପ୍ରଥମ ଗୋଲ କରି ଭାରତକୁ ଝଟକା ଦେଇଥିଲା । ଏହାର ଜବାବରେ ଖେଳର ୩୨ ମିନିଟରେ ଜରମନପ୍ରୀତ ସିଂ ୩ୟ ଗୋଲ କରି ଦଳକୁ ପ୍ରେରଣା ଦେଇଥିଲେ । ଏହା ପରେ କ୍ୟାପଟେନ୍ ହରମନପ୍ରୀତ ପୁଣି ଏକ ସ୍କୋର କରି ଦଳକୁ ୪ର୍ଥ ଗୋଲ ଭେଟି ଦେଇଥିଲେ । ଶେଷରେ ଇଣ୍ଡିଆ କୋରିଆକୁ ପରାଜୟ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ସେପଟେ ଆଜି ସେମି ଫାଇନାଲର ପ୍ରଥମ ମ୍ୟାଚରେ ଚାଇନା ପାକିସ୍ତାନକୁ ୨-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି ମଙ୍ଗଳବାର ଭାରତ ଓ ଚାଇନା ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ।