ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଗୁରୁବାର ଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯାଉଛି। ଟସ୍ ଜିଣି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ରୋହିତ ଶର୍ମାଙ୍କ ଟିମ୍ ବ୍ୟାଟିଂ କରୁଛି।
ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟରେ ଭାରତୀୟ ବ୍ୟାଟର୍ଙ୍କ ଆଗରେ ଅତିଥି ଦଳର ସ୍ପିନ୍ ଆକ୍ରମଣ ଆହ୍ବାନ ରହିବ। କାରଣ ନିକଟ ଅତୀତରେ ଭାରତୀୟ ବ୍ୟାଟିଂକ୍ରମ ସ୍ପିନରଙ୍କୁ ଖେଳିବାରେ ଅସୁବିଧାରେ ପଡ଼ିଥିଲା। ଚେନ୍ନାଇ ପିଚ୍ରେ ରୋହିତ ବାହିନୀଙ୍କୁ ଅଧିକ ଯତ୍ନବାନ୍ ହୋଇ ଖେଳିବାକୁ ପଡ଼ିବ। ଭାରତକୁ ଆସିବା ପୂର୍ବରୁ ପାକିସ୍ତାନକୁ ତା’ମାଟିରେ ୨-୦ରେ ହରାଇ ବାଂଲାଦେଶ ଐତିହାସିକ ସଫଳତା ପାଇଥିଲା। ତେଣୁ ଏହି ପଡ଼ୋଶୀ ଦଳକୁ ଆଦୌ ହାଲ୍କାରେ ନେଇ ହେବନି।
ଗତ କିଛି ଦିନ ଭିତରେ ଭାରତର ମୁଖ୍ୟ ଖେଳାଳିମାନେ ସ୍ପିନ୍କୁ ଖେଳିବା ପାଇଁ ସଂଘର୍ଷ କରିଛନ୍ତି। ବିରାଟ କୋହଲି ୨୦୨୧ରୁ ବର୍ତ୍ତମାନ ମଧ୍ୟରେ ୧୫ ଟେଷ୍ଟ୍ ଖେଳିଥିଲା ବେଳେ ସେଥିରେ ତାଙ୍କର ହାରାହାରି ରନ୍ ହେଉଛି ୩୦। ରୋହିତ ଶର୍ମାଙ୍କ ସ୍ଥିତି ମଧ୍ୟ ଖରାପ ହୋଇଯାଇଛି। ଗତ ତିନି ବର୍ଷ ମଧ୍ୟରେ ସ୍ପିନ୍ ବିପକ୍ଷରେ ତାଙ୍କର ହାରାହାରି ରନ୍ ୪୪କୁ ଖସିଆସିଲାଣି। କେଏଲ୍ ରାହୁଲ୍ ମଧ୍ୟ ଗତ ୫ ଘରୋଇ ଟେଷ୍ଟ୍ରେ ସ୍ପିନରଙ୍କ ବିପକ୍ଷରେ ୨୩.୪୦ ହାରରେ ରନ୍ ସଂଗ୍ରହ କରିଛନ୍ତି।
ବାଂଲାଦେଶ ସ୍ପିନରଙ୍କ ଭିତରେ ଅଭିଜ୍ଞ ସକିବ୍ ଅଲ୍ ହାସନ, ତାଇଜୁଲ ଇସ୍ଲାମ୍ ଓ ମେହିଦି ହାସନ ମିରାଜ ଭାରତୀୟ ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ତଥାପି ଏମାନଙ୍କୁ ସମ୍ମୁଖୀନ ହେବା ପାଇଁ ଋଷଭ ପନ୍ତ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ଶୁବମନ ଗିଲ୍ ଓ ଯଶସ୍ବୀ ଜୟସ୍ବାଲ୍ଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍, ବିରାଟ କୋହଲି, କେଏଲ୍ ରାହୁଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ୟାଦବ, ମହମ୍ମଦ ସିରାଜ, ଯଶପ୍ରୀତ୍ ବୁମ୍ରା
ବାଂଲାଦେଶ ଦଳ: ଶଦମନ ଇସଲାମ, ଜାକିର ହାସନ, ନଜମୁଲ ହୋସେନ୍ ସାଣ୍ଟୋ (ଅଧିନାୟକ), ମୋମିନୁଲ ଇସଲାମ, ମୁସ୍ଫିକର ରହିମ, ଲିଟନ ଦାସ, ସକିବ ଅଲ୍ ହାସନ, ମେହିଦି ହାସନ ମିରାଜ, ତସ୍କିନ୍ ଅହମଦ, ହାସନ ମହମୁଦ, ନାହିଦ ରାଣା/ତାଇଜୁଲ୍ ଇସ୍ଲାମ୍
ଅଧିକ ପଢ଼ନ୍ତୁ: ଗୁଳିକାଣ୍ଡ ପରେ ଜାଳିଦେଲେ ଦଳିତଙ୍କ ୮୦ ବଖରା