କଟକ: ପୋଲିସ ହେପାଜତରେ ମୃତ୍ୟୁ ଘଟିଥିବା ଭଦ୍ରକର ଅମୃତ ପୁହାଣଙ୍କ ପରିବାରକୁ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଗୁରୁବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସାତ ଦିନ ଭିତରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଭଦ୍ରକ ପୋଲିସ ତାଙ୍କ ପୁଅ ଅମୃତ ପୁହାଣକୁ ଟ୍ରେନରୁ ଠେଲି ହତ୍ୟା କରିଛନ୍ତି ବୋଲି ଅମୃତଙ୍କର ମା ବାସନ୍ତୀ ପୁହାଣ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଆଉ ଏହା ଉପରେ ଆଜି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ଗତ ଫେବୃଆରୀ ୮ ତାରିଖରେ ମୃତକଙ୍କ ପରିବାରକୁ ୧୦ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ବାଚନ କାରଣରୁ ଅଦାଲତଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନଥିବା ସରକାରଙ୍କ ପକ୍ଷରୁ ଏକ ପିଟିସନ ଜରିଆରେ ଅବଗତ କରାଯିବା ପରେ ଆଜି ସାନି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ, ୨୦୧୮ ମସିହାରେ ଅମୃତ ପୁହାଣ ଭଦ୍ରକରେ ଏକ କଲେଜରେ ଯୁକ୍ତ ତିନି କମର୍ସ ପଢ଼ୁଥିବା ବେଳେ ଜଣେ ନାବାଳିକାଙ୍କୁ ଭଲ ପାଉଥିଲେ । ସେ ନାବାଳିାକକୁ ନେଇ ରାଜ୍ୟ ବାହାରକୁ ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୮ ଏପ୍ରିଲ ୧୪ ତାରିଖରେ ନାବାଳିକାଙ୍କ ସହିତ ଅମୃତଙ୍କୁ ଭଦ୍ରକ ପୋଲିସ ଗୋଆରୁ ଧରି ଫ୍ଲାଇଟ ଯୋଗେ କଲିକତା ଓ ସେଠାରୁ ଫାଲକନାମା ଏକ୍ସପ୍ରେସ ଯୋଗେ ଭଦ୍ରକ ଆଣୁଥିଲେ।
ତେବେ ପଶ୍ଚିମ ମେଦିନପୁର ବେଲଦା ନିକଟରେ ଅମୃତ ଟ୍ରେନରୁ ଡେଇଁ ପଡିଥିବା ପୋଲିସ କହୁଥିବା ବେଳେ ତାକୁ ପୋଲିସ ଠେଲି ହତ୍ୟା କରିଥିବା ଅମୃତର ମା ଅଭିଯୋଗ କରିଥିଲେ। ସେ ନ୍ୟାୟ ପାଇବା ପାଇଁ ଅନେକ ଧାଁ ଦଉଡ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ପୁନଶ୍ଚ ଶୁଣାଣି ଆଜି ହାଇକୋର୍ଟରେ ହୋଇଛି।