ଭୁବନେଶ୍ଵର: କମିଶନରେଟ୍ ପୋଲିସର ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୋଲିସର ବର୍ବରତା ଘଟଣାରେ ମୁହଁ ଖୋଲିଛନ୍ତି ବାନ୍ଧବୀ । ପୋଲିସ କେମିତି ବର୍ବରତାର ସମସ୍ତ ସୀମା ଲଙ୍ଘିଥିଲା ତାହା ଏମ୍ସରୁ ଚିକିତ୍ସିତ ହୋଇ ବାହାରିବା ସମୟରେ ସାମ୍ବାଦିକ ସହ ଆଲୋଚନା ବେଳେ କହିଛନ୍ତି । ପୋଲିସ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଅସଦାଚରଣ ସହ ତଙ୍କ ସହ ପୋଲିସ ଅଶ୍ଳୀଳ ବ୍ୟବହାର କରିଥିବା ସେ କହିଛନ୍ତି । ଭରତପୁର ଥାନା ଅଧିକାରୀ ନିଜେ ତାଙ୍କୁ ଏଭଳି ନିର୍ୟାତନା ଦେଇଥିବା ନେଇ ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି ମେଜରଙ୍କ ବାନ୍ଧବୀ।
କୋହ ଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ପୀଡ଼ିତା ଶନିବାର ରାତିର ଘଟଣା ସମ୍ପର୍କରେ କାନ୍ଦି କାନ୍ଦି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କହିଛନ୍ତି। ସେ କହିଛନ୍ତି ଜଣେ ଓକିଲ ହିସାବରେ ନିଜ ଉପରେ ହୋଇଥିବା ନିର୍ୟାତନାକୁ ବିଷୟରେ ଏଫଆଇଆର ଦେବାକୁ ରାତି ପ୍ରାୟ ୧ଟାରେ ଭରତପୁର ଥାନା ଯାଇଥିଲି ।
ସେ କହିଛନ୍ତି, ସେହି ରାତିରେ ଥାନାର ଅଭ୍ୟର୍ଥନା କକ୍ଷରେ ଜଣେ ମହିଳା କନଷ୍ଟେବଲ ଥିଲେ। କିନ୍ତୁ ସେ ୟୁନିଫର୍ମରେ ନ ଥିଲେ । ତାଙ୍କ ଛଡ଼ା ଆଉ କୌଣସି ପୋଲିସ୍ କର୍ମଚାରୀ ନଥିଲେ। ତେଣୁ ସମ୍ପୃକ୍ତ ମହିଳା କଷ୍ଟେବଳଙ୍କୁ ଏଫଆଇଆର ଲଜ୍ କରିବା ପାଇଁ ଅନୁରୋଧ କରିଥିଲି। ହେଲେ ସେ ଏଫଆଇଆର ଲଜ୍ କରିବା ବଦଳରେ ଗାଳି ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି।
ସେ କହିଛନ୍ତି ମହିଳା କନଷ୍ଟେବଲ ଗାଳି ଦେବାର କିଛି ସମୟ ପରେ ଏକ ପାଟ୍ରୋଲିଂ ଗାଡ଼ି ଥାନାରେ ପହଞ୍ଚିଥିଲା। ସେଥିରେ ଥିବା ମହିଳା ଓ ପୁରୁଷ କର୍ମଚାରୀମାନେ ଏଫଆଇଆର ଲେଖିବା ପାଇଁ ମେଜର ଗୁରୁବଂଶଙ୍କୁ କହିଥିଲେ। ଗୁରୁବଂଶ ଏଥିପାଇଁ ରାଜି ହୋଇଥିଲେ। କିନ୍ତୁ ସେଠାରେ କ’ଣ ହେଲା ସେମାନେ ତାଙ୍କୁ କଷ୍ଟଡିରେ ରଖିଲେ। ମୁଁ ସେଠାରେ ପ୍ରତିବାଦ କରିଥିଲି।
ପ୍ରଥମେ ଚୁଟି ଧରି ଘୋଷାଡି ନେଇଥିଲେ ତା ପରେ ପରେ ଜଣେ ମହିଳା କନେଷ୍ଟବଳ ତାଙ୍କ ବେକ ଧରିଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ତାଙ୍କ ଜ୍ୟାକେଟରେ ତାଙ୍କ ହାତ ବାନ୍ଧି ଦେଇଥିଲେ । ଜଣେ ମହିଳା କନ୍ଷ୍ଟେବଳ ମୋ’ ଗଳା ଚିପି ଦେବାକୁ ଉଦ୍ୟମ କରୁଥିଲେ। ସେଥିପାଇଁ ମୁଁ ତା’ ହାତକୁ କାମୁଡ଼ି ଦେଇଥିଲି। ଅନ୍ୟ ଜଣେ ମହିଳା କନେଷ୍ଟବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମରେ ବନ୍ଦ କରିଦେଇଥିଲେ । ନିଜର ପ୍ରତିରକ୍ଷା ପାଇଁ ସେ ଚିତ୍କାର କରିବାରୁ ପୁରୁଷ କନେଷ୍ଟବଳ ଏବଂ ମହିଳା କନେଷ୍ଟବଳ ମିଶିକି ମାଡ଼ ମାରିଥିଲେ ।
ପରେ ସକାଳ ପ୍ରାୟ ୬ଟାରେ ଆଇଆଇସି ଆସି ୨ କନେଷ୍ଟବଳଙ୍କ ସହ ତାଙ୍କ ଅଶ୍ଳୀଳ ବ୍ୟବହାର କରିଥିଲେ। ଜଣେ ପୁରୁଷ ଅଫିସର ପ୍ରଥମେ ତାଙ୍କର ଅନ୍ତବସ୍ତ୍ର କାଢି ଦେଇଥିଲେ। ପୁଣି ତାଙ୍କ ଛାତି ଉପରେ ଗୋଇଠା ମାରିଥିଲେ। କିଛି ସମୟ ପରେ ଆଇଆଇସି ଆସି ମୋ’ ପ୍ୟାଣ୍ଟ ଖସାଇ ଦେଇଥିଲେ। ତା’ପରେ ସେ ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍ ରହିବୁ ବୋଲି କହିଥିଲେ। ଘଟଣା ବିଷୟରେ ଏମିତି କହୁ କାନ୍ଦି ପକାଇଥିଲେ ଏବଂ ସେ ଆଉ କହି ପାରି ନଥିଲେ ।। ସେପଟେ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟହାର ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ । ରାସ୍ତାରେ ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିବା ରୋଡ଼ ରୋମିଓଙ୍କୁ ବାନ୍ଧିବ ପୋଲିସ । ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ।