ଚେନ୍ନାଇ: ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ଚମକିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା । ଏହି ଦୁଇ ବ୍ୟାଟର ଭାରତକୁ ସଙ୍କଟରୁ କେବଳ ଉଦ୍ଧାର କରି ନାହାନ୍ତି ବରଂ ସ୍ଥିତି ମଜବୁତ କରିଛନ୍ତି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪୪ ରନରେ ୬ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍ରେ ରହିଥିଲା। ପରେ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜା ଚମତ୍କାର ବ୍ୟାଟିଂ କରି ଦଳର ଇନିଂସ ସମ୍ଭାଳିଛନ୍ତି। ଫଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୩୩୯ ରନ କରିଛି। ଅଶ୍ଵିନ ୧୧୨ ବଲରୁ ୧୦୨ ରନ ଓ ଜାଡ଼େଜା ୧୧୭ ବଲ୍ରୁ ୮୬ ରନ କରି ବ୍ୟାଟିଂ କରୁଛନ୍ତି। ଏହି ସମୟରେ ଅଶ୍ଵିନ ଓ ଜାଡ଼େଜା ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।
ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜା ଅବିଭାବଜିତ ସପ୍ତମ ଓ୍ଵିକେଟ୍ ପାଇଁ ୧୯୫ ରନର ଭାଗିଦାରୀ କରିଛନ୍ତି, ଯାହା ଏକ ରେକର୍ଡ । ଏହାପୂର୍ବରୁ କରୁଣ ନାୟର ଓ ରବୀନ୍ଦ୍ର ଜାଡ଼େଜା ଇଂଲଣ୍ଡ ବିପକ୍ଷରେ ୨୦୧୬ରେ ସପ୍ତମ ଓ୍ଵିକେଟ୍ ପାଇଁ ରେକର୍ଡ ୧୩୮ ରନ ଯୋଡ଼ିଥିଲେ। ବାଂଲାଦେଶ ବିପକ୍ଷରେ ଏହା ପୂର୍ବରୁ ଏହି ରେକର୍ଡ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ଜାହିର ଖାନଙ୍କ ନାମରେ ଥିଲା। ତେନ୍ଦୁଲକର ଓ ଜାହିର ୨୦୦୪ରେ ଦଶମ ଓ୍ଵିକେଟ୍ ପାଇଁ ୧୩୩ ରନ ଯୋଡ଼ିଥିଲେ। ଏହି ମ୍ୟାଚ୍ରେ ସଚିନ ତେନ୍ଦୁଲକର ନିଜ କ୍ୟାରିୟରର ଶ୍ରେଷ୍ଠ ୨୪୮ ରନ କରିଥିଲେ।
ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଯୋଡ଼ି ଏହି ମ୍ୟାଚରେ ଦମଦାର ବ୍ୟାଟିଂ କରି ତେନ୍ଦୁଲକର ଓ ଜାହିରଙ୍କୁ ପଛରେ ପକାଇଛନ୍ତି। ଦୁଇ ବ୍ୟାଟର ଅବିଭାଜିତ ସପ୍ତମ ଓ୍ଵିକେଟ୍ ପାଇଁ ରେକର୍ଡ ୧୯୫ ରନ ଭାଗିଦାରୀ ଯୋଡ଼ିଛନ୍ତି। ତେବେ ଏହି ଯୋଡି ଆଉ କେତେ ସମୟ କ୍ରିଜରେ ଜମି ଅଧିକ ରନ ଯୋଡିବେ ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି । ଦେଖିବାକୁ ବାକି ରହିଲା ଦୁଇ ବ୍ୟାଟର ଚେନ୍ନାଇ ଟେଷ୍ଟରେ ଦ୍ଵିତୀୟ ଦିନରେ କେତେ ରନ ଯୋଡୁଛନ୍ତି ଏବଂ ଜାଡେଜା ଶତକ ହାସଲ କରିପାରୁଛନ୍ତି ନା ନାହିଁ ।