ଶ୍ରୀନଗର: ଘାଟିରୁ ଧାରା ୩୭୦ ଉଚ୍ଛେଦ ହେଲା ପରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟ୍ ଦେବା ପାଇଁ ବୁଧବାର ଜମ୍ମୁ-କଶ୍ମୀରରେ ଲୋକଙ୍କ ଭିଡ଼ ଜମିଥିଲା। ଦକ୍ଷିଣ କାଶ୍ମୀରର ରାମବନ, ଡୋଡା ଓ କିସ୍ତୱାର ଏବଂ ଜମ୍ମୁ ଡିଭିଜନର ମତଦାନ କେନ୍ଦ୍ରରେ ସକାଳୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।
ବୁଧବାର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଭୋଟ୍ ପ୍ରତିଶତ ୬୧.୧୩ରେ ପହଞ୍ଚିଥିଲା। ସୋପିଆନରେ ୫୩.୫୪ ପ୍ରତିଶତ ଓ ପୁଲୱାମା ଜିଲ୍ଲାରେ ୪୬.୦୩ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୦୮ ପରଠାରୁ ହୋଇଥିବା ୪ଟି ଲୋକସଭା ଓ ୩ଟି ବିଧାନସଭା ନିର୍ବାଚନରେ ମତଦାନ ହାର ରେକର୍ଡ ଭାଙ୍ଗିଛି।
ମୁଖ୍ୟ ନିର୍ବାଚନ ଅଧିକାରୀ ପାଣ୍ଡୁରଙ୍ଗ କେ ପୋଲେ କହିଛନ୍ତି ଯେ ରାଜ୍ୟରେ ସ୍ଥିତିରେ ଉନ୍ନତି ଯୋଗୁଁ ମତଦାନ ହୋଇଛି। ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର ୧ରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ୧୦ ବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପରିବେଶ ସମ୍ପୂର୍ଣ୍ଣ ବଦଳିଯାଇଛି। ନା ଆତଙ୍କବାଦୀ ହିଂସା, ନା ବିଚ୍ଛିନ୍ନତାବାଦୀ ନିର୍ଦ୍ଦେଶ । ଯେଉଁ ୨୪ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା ସେଥିମଧ୍ୟରୁ ତ୍ରାଲକୁ ଏକଦା ଆତଙ୍କବାଦର ଗଡ଼ କୁହାଯାଉଥିଲା।
ଜାକିର ମୁସା ଓ ବୁରହାନ ୱାନିଙ୍କ ଭଳି ଆତଙ୍କବାଦୀମାନେ ତ୍ରାଲର ବାସିନ୍ଦା ଥିଲେ। ସେପଟେ ବିସ୍ଥାପିତ କାଶ୍ମୀରୀ ହିନ୍ଦୁମାନଙ୍କ ମଧ୍ୟରେ ଭୋଟକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ଉପତ୍ୟକାର ୧୬ଟି ଆସନରେ ମାତ୍ର ୩୦ ପ୍ରତିଶତ ଲୋକ ଭୋଟ୍ ଦେଇଥିଲେ। ଜମ୍ମୁ, ଉଧମପୁର ଓ ଦିଲ୍ଲୀରେ ୨୪ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ରହିଛି। ଜମ୍ମୁରେ ୧୯ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ୯,୫୦୦ ଭୋଟ୍ ପଡ଼ିଥିଲା।
ଅଧିକ ପଢ଼ନ୍ତୁ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ କାହାକୁ ମିଳିବ ସୁଯୋଗ