ନୂଆଦିଲ୍ଲୀ: ସାହାରା ଗ୍ରୁପ୍ ନିବେଶକଙ୍କ ପାଇଁ ଖୁସି ଖବର ଆସିଛି। କେନ୍ଦ୍ର ସରକାର ସାହାରା ଗୋଷ୍ଠୀ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କ ରିଫଣ୍ଡ ସୀମା ୧୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ସମବାୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ସାହାରା ଗ୍ରୁପର ସମବାୟ ସମିତିର ୪.୨୯ ଲକ୍ଷରୁ ଅଧିକ ଜମାକାରୀଙ୍କୁ ସରକାର ୩୭୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରିଫଣ୍ଡ ସୀମାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରି ଆଗାମୀ ୧୦ ଦିନ ମଧ୍ୟରେ ପାଖାପାଖି ୧୦ କୋଟି ଟଙ୍କା ପ୍ରଦାନ କରାଯିବ। ସରକାର ଟଙ୍କା ଫେରସ୍ତ ଦେବା ପୂର୍ବରୁ ଜମାକାରୀଙ୍କ ଦାବିଯାଞ୍ଚ କରୁଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୩ ଜୁଲାଇ ୧୮ରେ ସିଆରସିଏସ୍-ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏଥିରେ ସାହାରା ଗ୍ରୁପର ୪ଟି ସମବାୟ ସମିତିର ନିବେଶକମାନେ ସେମାନଙ୍କ ରିଫଣ୍ଡ ଦାବି କରିପାରିବେ। ସେଗୁଡ଼ିକ ହେଲା ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ଲକ୍ଷ୍ନୌ), ସାହାରନ ୟୁନିଭର୍ସାଲ୍ ମଲ୍ଟିପରପସ୍ ସୋସାଇଟି ଲିମିଟେଡ୍ (ଭୋପାଳ), ହମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ଲିମିଟେଡ୍ (କୋଲକାତା) ଏବଂ ଷ୍ଟାର୍ସ ବହୁମୁଖୀ ସମବାୟ ସମିତି ଲିମିଟେଡ୍ (ହାଇଦ୍ରାବାଦ)। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୨୯, ୨୦୨୩ ଆଦେଶ ଅନୁଯାୟୀ କେନ୍ଦ୍ରୀୟ ସମବାୟ ସମିତି ରେଜିଷ୍ଟ୍ରାର (ସିଆରସିଏସ୍) ମେ ୧୯, ୨୦୨୩ରେ ସେବି-ସାହାରା ରିଫଣ୍ଡ ଆକାଉଣ୍ଟକୁ ୫,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।
ସୁପ୍ରିମ୍କୋର୍ଟର ବିଚାରପତି ଆର ସୁଭାଷ ରେଡ୍ଡୀ ସାହାରା ନିବେଶକଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି। ସାରା ଦେଶରୁ ଲକ୍ଷ ଲକ୍ଷ ନିବେଶକ ସାହାରା ର କମ୍ପାନୀରେ ଟଙ୍କା ବିନିଯୋଗ କରିଥିଲେ ମଧ୍ୟ ସେମାନେ ସେମାନଙ୍କ ଟଙ୍କା ଫେରସ୍ତ ପାଇବାରେ ସକ୍ଷମ ନୁହଁନ୍ତି। ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ (ଏସ୍ଏଫ୍ଆଇଓ) ଏବଂ କମ୍ପାନି ଆକ୍ଟ ଅନୁଯାୟୀ କେତେକ ଗ୍ରୁପ୍ କମ୍ପାନି ବିରୋଧରେ ତଦନ୍ତ ଚାଲିଛି। ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରାୟଙ୍କ ଗତ ବର୍ଷ ନଭେମ୍ବର ୧୪ ତାରିଖରେ ଦେହାନ୍ତ ହୋଇଥିଲା। ତେବେ ସାହାରା ଗ୍ରୁପର କିଛି କମ୍ପାନି ବିରୋଧରେ ଚାଲିଥିବା ତଦନ୍ତ ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଅଧିକ ପଢ଼ନ୍ତୁ: ଆତଙ୍କବାଦର ଗଡ଼ କୁହାଯାଉଥିବା ଦକ୍ଷିଣ କାଶ୍ମୀରରେ ରେକର୍ଡ ଭାଙ୍ଗିଲା ମତଦାନ