ଯାଜପୁର : ସାରା ଓଡ଼ିଶାରେ ସବୁଠି ଏବେ ସୁଭଦ୍ରା ନେଇ ଚର୍ଚ୍ଚା। ଯୁଆଡେ ଦେଖିଲେ ସମସ୍ତଙ୍କ ମୁହଁରେ ସୁଭଦ୍ରା ଟଙ୍କା ଆସିଲା କି ନାହିଁ ସେହି ପ୍ରଶ୍ନ। ଏହାରି ମଧ୍ୟରେ ଯେଉଁମାନଙ୍କର ବ୍ୟାଙ୍କ ଖାତାରେ ମୋବାଇଲ ନମ୍ବର ଲିଙ୍କ ନାହିଁ, ସେମାନଙ୍କର ସୁଭଦ୍ରା ଟଙ୍କା ଆସିଛି କି ନାହିଁ ଜାଣିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାମାନେ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍ ଲଗାଉଥିବା ଦେଖିବାକୁ ମିଳୁଛି।
ଏହାରି ମଧ୍ୟରେ ଯାଜପୁର ବରୀ ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ମହିଳାମାନେ ବ୍ୟାଙ୍କର ଶିଢ଼ିରେ ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି। ମେସେଜ ଆସିନଥିବାରୁ ଆକାଉଣ୍ଟ ଚେକ୍ ପାଇଁ ବିପଦପୂର୍ଣ୍ଣ ଅବସ୍ଥାରେ ମହିଳାମାନେ ଧାଡି ଲଗାଇଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ସୁଇଚ ଟିପି ରାଜ୍ୟର ୨୫ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ପ୍ରତି ବର୍ଷ ୧୦ ହଜାର ଟଙ୍କା ଦିଆଯିବ। ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ପ୍ରଥମ କିସ୍ତି ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ଏବଂ ଦ୍ୱିତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ଦିଆଯିବ।
ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ରାଜ୍ୟରେ ଆଜି ସୁଦ୍ଧା ସୁଭଦ୍ରା ଯୋଜନାରେ ୭୨ଲକ୍ଷ ମହିଳା ପଞ୍ଜୀକୃତ କଲେଣି । ଓଡିଶାର ମହିଳା ମାନଙ୍କ ବିକାଶ ପାଇଁ ସୁଭଦ୍ରା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଗ୍ୟାରେଣ୍ଟି।