ଭୁବନେଶ୍ୱର: ସ୍ଥଳ ସେନାର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀଙ୍କୁ ଉଚ୍ଚ ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ବାନ୍ଧବୀଙ୍କୁ ମାଡ଼ ମରାଯିବା ଘଟଣାର ହାଇକୋର୍ଟ ଗତକାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଶୁଣାଣିକୁ ଶେଷ କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଭରତପୁର ଥାନାରେ ସ୍ଥଳ ସେନାର ମେଜର୍ ଗୁରୁବନ୍ତ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମରାଯିବା ମାମଲାରେ ହାଇକୋର୍ଟ ବିଚାରପତି ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତ୍ୱରିତ ଶୁଣାଣି କରିଛନ୍ତି । ବାନ୍ଧବୀଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନର ଶୁଣାଣି ହୋଇଛି । ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଡାକ୍ତରୀ ପରୀକ୍ଷା ରିପୋର୍ଟ ଦାଖଲ କରାଯାଇଥିଲା । ସେଥିରୁ ତାଙ୍କୁ ମାଡ଼ ମରାଯାଇଥିବା କୋର୍ଟ ଜାଣିବାକୁ ପାଇଥିଲେ । ଏହା ପରେ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଶୁଣାଣି ସମୟରେ ମାମଲାର ତଦନ୍ତକାରୀ ଅଧିକାରୀ ଭର୍ଚୁଆଲ୍ ବ୍ୟବସ୍ଥାରେ ହାଜର ହୋଇଥିଲେ । ଶୁଣାଣି ସମୟରେ ଅଙ୍କିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ।
ଏହି ମାମଲାରେ ଡିଜିପି ଭରତପୁର ଥାନାର ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର, ଏସ୍ଆଇ ବୈଶାଳିନୀ ପଣ୍ଡା, ଏଏସ୍ଆଇ ସଲିଳମୟୀ ସାହୁ ଓ ସାଗରିକା ରଥଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେହିପରି କନଷ୍ଟେବଲ ବଳରାମ ହାଁସଦା ମଧ୍ୟ ନିଲମ୍ବିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ପଟିଆରୁ କାରରେ ଯାଉଥିଲେ । ଏହି ସମୟରେ ୨ଟି କାରରେ କିଛି ଅସମାଜିକ ଯୁବକ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୁଲିସ ପିସିଆର୍ ପଠାଇବା ବଦଳରେ ପ୍ରଥମେ ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତଦନ୍ତ କରିବା ପରିବର୍ତ୍ତେ ଗୁରୁବଂଶଙ୍କୁ ଲକ୍ଅପ୍ରେ ରଖିଥିଲା ପୁଲିସ । ଏହା ସହିତ ତାଙ୍କ ବାନ୍ଧବୀଙ୍କୁ ଅନ୍ୟ ପୁଲିସ କର୍ମଚାରୀମାନେ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । ଏମିତିକି ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।