କୋଲକାତା: ଆରଜି କର ମେଡିକାଲ୍ କଲେଜରେ ମହିଳା ଜୁନିୟର ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଆଜି ଭେଟିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ସାକ୍ଷାତପରେ ମୁଖ୍ୟମନ୍ତ୍ରୀ ମମତା ଘୋଷଣା କରିଛନ୍ତି ଯେ, ସେ ଆନ୍ଦୋଳନରତ ଡାକ୍ତରଙ୍କ ପାଞ୍ଚଟିରୁ ତିନୋଟି ଦାବି ଉପରେ ସହମତି ହୋଇଛନ୍ତି । ଏହି ତିନି ଦାବିରୁ ସ୍ୱାସ୍ଥ୍ୟ ବିଭାଗର ଦୁଇ ଉଚ୍ଚପଦସ୍ଥ ଅଧିକାରୀ ଏବଂ କୋଲକାତା ପୋଲିସ କମିଶନରଙ୍କୁ ହଟାଇବା ଦୁଇଟି ଦାବିକୁ ରାଜ୍ୟ ସରକାର ମାନିଛନ୍ତି । ଏହା ସହିତ ନର୍ଥ ଜୋନର ପୋଲିସ ପ୍ରମୁଖଙ୍କୁ ମଧ୍ୟ ହଟାଇ ଦେଇଛନ୍ତି । ମଙ୍ଗଳବାର ଅପରାହ୍ଣ ୪ଟାରେ ନୂତନ ପୋଲିସ କମିଶନର ନିଜର ଦାୟିତ୍ୱ ଗ୍ରହଣ କରିବେ । ମମତା କହିଛନ୍ତି, ମୋତେ ଲାଗୁଛି ବୈଠକ ସକରାତ୍ମକ ରହିଛି । ମୁଁ ବିଶ୍ୱାସ କରୁଛି ଜୁନିୟର ଡାକ୍ତରମାନେ ମଧ୍ୟ ତାହା ଭାବୁଥିବେ ।
ମମତା କହିଛନ୍ତି, ଆଶା କରୁଛି ଜୁନିୟର ଡାକ୍ତରମାନେ ପରସ୍ପର ମଧ୍ୟରେ ଆଲୋଚନା କରି ଧାରଣା ସମାପ୍ତ ବିଷୟରେ ନିଷ୍ପତ୍ତି ନେବେ । ସମସ୍ତ ଡାକ୍ତର କାମକୁ ଫେରି ଆସନ୍ତୁ । ଆନ୍ଦୋଳନରତ କୌଣସି ବି ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ମୁଁ ସେମାନଙ୍କୁ କହିଛି ଯେ, ମୋ ପାଇଁ ନୁହେଁ ଅନ୍ତତଃ ରୋଗୀଙ୍କ ପାଇଁ କାମକୁ ଫେରି ଆସନ୍ତୁ । ଆପଣଙ୍କ ଅନୁପସ୍ଥିତିରେ ହସ୍ପିଟାଲରେ ଅନେକ ଗରିବ ରୋଗୀ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । କିଛି ଜିଲ୍ଲାରେ ବନ୍ୟା ସ୍ଥିତି । ସେଠାରେ ବେଶି ଡାକ୍ତରଙ୍କ ଆବଶ୍ୟକତା ଥିବା ମମତା କହିଛନ୍ତି ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଦୋଳନକାରୀ ଡାକ୍ତରଙ୍କ ମଧ୍ୟରେ ଏହା ପଞ୍ଚମ ବୈଠକ ଥିଲା । ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିବା ବୈଠକ ପରେ ମମତା ଏହି ଘୋଷଣା ମଧ୍ୟ ରାତ୍ରରେ କରିଛନ୍ତି । ମମତାଙ୍କ ଏହି ଘୋଷଣା ଆନ୍ଦୋଳନକାରୀ ଡାକ୍ତରଙ୍କ ଆଗରେ ମୁଣ୍ଡ ନୁଆଁଇବା ଭାବେ ଦେଖା ଯାଉଛି । କାରଣ ମମତା କିଛି ଦିନ ପୂର୍ବେ କହିଥିଲେ ଯେ, ପୋଲିସ କମିଶନର ବୀନିତ ଗୋୟଲଙ୍କୁ ଦୁର୍ଗା ପୂଜା ପର୍ଯ୍ୟନ୍ତ ପଦରେ ରଖାଯିବ ।