ବଳରାମପୁର: ଛତିଶଗଡ଼ ସଶସ୍ତ୍ର ବାହିନୀ କ୍ୟାମ୍ପରେ ଏକ ବଡ଼ ଅଘଟଣ ଘଟିଛି । ବଳରାମପୁର ଜିଲ୍ଲାରେ ଥିବା ସିଏଏଫ୍ କ୍ୟାମ୍ପରେ ଜଣେ ଯବାନଙ୍କ ଗୁଳିରେ ୨ ଜଣ ସହକର୍ମୀ ପ୍ରାଣ ହରାଇଥିବାବେଳେ ଅନ୍ୟ ୨ଜଣ ଯବାନ ଗୁରୁତର ଅଛନ୍ତି । ଅଭିଯୁକ୍ତ ଯବାନ ଜଙ୍କୁ ପୁଲିସ ଅଟକ ରଖିଥିବା ନେଇ ପୁଲିସ ଆଇଜି ଅଙ୍କିତ ଗର୍ଗ ସୂଚନା ଦେଇଛନ୍ତି ।
ପୁଲିସ ଆଇଜି ଅଙ୍କିତ ଗର୍ଗ ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ବଳରାମପୁର ଜିଲ୍ଲା ସମ୍ରି ଥାନା ଅନ୍ତର୍ଗତ ଭୁତାଇରେ ଥିବା ଏକାଦଶ ବାଟାଲିୟନରେ ଜଣେ ଯବାନ ତାର ସାଥି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲା । ତାଙ୍କ ନାମ ଅଜୟ ସିଦର ବୋଲି ଜଣାପଡ଼ିଛି । ସେ ନିଜ ସର୍ଭିସ ରାଇଫଲରୁ ଏହି ଗୁଳି ଚଳାଇଥିଲେ ।
ଏହି ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । କନଷ୍ଟେବଳ ରୁପେଶ ପଟେଲ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସନ୍ଦିପ ପାଣ୍ଡେଙ୍କୁ ମେଡ଼ିକାଲ ନିଆଯାଉଥିବାବେଳେ ରାସ୍ତାରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଦୁଇ ଗୁରୁତର ଅମ୍ବୁଜ ଶୁକ୍ଳା ଏବଂ ରାହୁଲ ବାଘେଲଙ୍କୁ ଗୁରୁତର ଅବସ୍ଥାରେ କୁସ୍ମି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଆଜି କହିଛନ୍ତି ଯେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଯବାନମାନେ ତୁରନ୍ତ ସିଦରଙ୍କୁ କାବୁ କରି ନେଇଥିଲେ । ତାଙ୍କ ଠାରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ପୁଲିସ ସିଦରଙ୍କୁ ନିଜ ହେପାଜତକୁ ନେଇଛି । ତେବେ ସେ କାହିଁକି ଗୁଳି କାଣ୍ଡ କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।